105 Views
ଚଣ୍ଡିଖୋଲ, ୨୯ ସେପ୍ଟେମ୍ବର :ବଦଳୁଛି ବଡଚଣା ବିଜେଡି ରାଜନୀତି ସମୀକରଣ । ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉପରେ ହାଇକମାଣ୍ଡ ଖପ୍ପା । ଏହି କ୍ରମରେ ଚଳିତଥର ଶ୍ରୀ ଶତପଥୀ ପ୍ରାର୍ଥୀ ହେବେ କି ନାହିଁ ଏହାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । ଏପରିକି ବଡଚଣା ବିଧାୟକଙ୍କର ଗ୍ୟାଙ୍ଗଷ୍ଟାର ଟିଟୋ ସହ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରିଥିଲା ସ୍ଥାନୀୟ କଂଗ୍ରେସ । କେବଳ ସେତିକି ନୁହେଁ କଂଗ୍ରେସ ପକ୍ଷରୁ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଚଣ୍ଡିଖୋଲ ଠାରେ ମଧ୍ୟ ପ୍ରତିବାଦ ସମାବେଶ କରାଯାଇଥିଲା । ଏହି ଖବର ହାଇକମାଣ୍ଡଙ୍କ ପାଖରେ ପହଁଚିବା ପରେ ବିଧାୟକଙ୍କ ଉପରେ ଏବେ ବିଜେଡି ଖପ୍ପା । ତାଙ୍କ ସ୍ଥାନରେ ଜଣେ ନବାଗତ ଲୋକଙ୍କୁ ଦଳ ଏଠାରେ ମୁହଁ କରିବା ପାଇଁ ପ୍ରୟାସ କରିଛନ୍ତି । ଏ ସବୁ ମଧ୍ୟରେ ଜଣେ ସାମ୍ବାଦିକଙ୍କ ନାଁ ବିଶେଷ ଚର୍ଚ୍ଚାରେ ରହିଛି । ଏପରିକି ତାଙ୍କୁ ଏରିଆରେ ସଙ୍ଗଠନ କରିବା ପାଇଁ ହାଇକମାଣ୍ଡ ସବୁଜସଂଙ୍କେତ ଦେଇଥିବା କଥା ବିଶେଷ ସୁତ୍ରରୁ ଜଣାପଡିଛି ।
ଅମରଙ୍କ ବିରୋଧରେ ଅଭିଯୋଗ ପରେ ତାଙ୍କ ବିରୋଧରେ ଏବେ ନିଜ ଦଳରେ ମଧ୍ୟ ମେଳି ଆରମ୍ଭ ହୋଇଯାଇଛି । ଏପରିକି ପରସ୍ପର ସାମ୍ବାଦିକ ସମ୍ମିଳନୀ ନାଁରେ ନିଜର କଲାକର୍ମକୁ ଖୋଲାରେ ପ୍ରକାଶ କରିବାରେ ଲାଗିଲେଣୀ । ଗୋଟିଏ ପଟେ ଟିଟୋ ଲିଙ୍କ୍ ନେଇ କଂଗ୍ରେସ ଓ ବିଜେପି ବିଧାୟକଙ୍କୁ ଘେରୁଥିବା ବେଳେ ଏବେ ନିଜ ଦଳରେ ମଧ୍ୟ କର୍ମୀମାନେ ଖୋଲାଖୋଲି ବିରୋଧ କରିବା ସହ ଏଠାରେ ନୂଆଁ ମୁହଁ ଦେବାକୁ ସେମାନେ ହାଇକମାଣ୍ଡଙ୍କ ନିକଟରେ ଦାବି କରିବା ପାଇଁ ବୈଠକ କରି ରଣନୀତି ସ୍ଥିର କରିସାରିଲେଣୀ ।
ଗୋଟିଏ ପଟେ ବଡଚଣା ବିଜେଡିରେ ଫାଟ, ଅନ୍ୟପଟେ ବିଜେପିର ସଙ୍ଗଠନ ବୃଦ୍ଧି ଏବଂ ଅନ୍ୟପଟେ କଂଗ୍ରେସ ରେ ସକ୍ରିୟତାକୁ ନେଇ ଏବେ ବଡଚଣା ରାଜନୀତି ନୂଆ ସମୀକରଣ ଆଡେ ଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଉଛି ।