Sat. Mar 7th, 2026
262 Views

ସମ୍ବଲପୁର : ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ନିଆଁ ଲାଗି ୮୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୀପାବଳି ଥିବାରୁ କିଛି ଦୋକାନୀ ଦୋକାନରେ ଦୀପ ଲଗାଇ ଘରକୁ ଚାଲି ଯାଇଥିଲେ। କୌଣସି ଦୋକାନରେ ଦୀପରୁ ନିଆଁ ଲାଗି ଏହି ଅଘଟଣ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଏପରିକି କେହି ନିଆଁ ଲଗାଇ ଦେଇଥିବା ମଧ୍ୟ କୁହାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ କେହି ଜାଣିଶୁଣି ନିଆଁ ଲଗାଇ ଦେଇଛନ୍ତି। ଉପ-ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଲକ୍ଷ ଲକ୍ଷ ଟଙ୍କାର ପରିବା ପୋଡ଼ି ଯାଇଥିବା ଦୋକାନୀମାନେ କହିଛନ୍ତି। ଆର୍‌ଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି।

ସୂଚନାଯୋଗ୍ୟ, ଏଥରକୁ ମିଶାଇ ଗୋଲବଜାର ପରିବା ମାର୍କେଟ୍‌ରେ ୪ ଥର ନିଆଁ ଲାଗିସାରିଲାଣି। ତେଣୁ ଅନ୍ୟ ସ୍ଥାନକୁ ଏହି ପରିବା ମାର୍କେଟ୍‌କୁ ସ୍ଥାନାନ୍ତର କରିବାକୁ ଦୋକାନୀମାନେ ଦାବି କରିଛନ୍ତି।

By amfnews

Related Post