353 Views
ଭୁବନେଶ୍ବର, ୬ ଜୁଲାଇ : ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁରୀରେ ରଥଯାତ୍ରା ପାଇଁ ଅନୁଷ୍ଠିତ ଶେଷ ସମନ୍ବୟ କମିଟି ବୈଠକରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ନେଇ ଆଜି ପୁରୀ ସହରରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ଏପରିକି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଖଣ୍ଡୁଆପାଟକୁ ବୈଠକ ସମୟରେ ସେ ପକାଇନଥିବା ଦେଖିବାକୁ ମିଳିଛି ।
ବୈଠକରେ ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ମାନେ ଖଣ୍ଡୁଆ ପାଟକୁ ପକାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବୈଠକ ସମୟରେ ନ ପକାଇବାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଯେ କୌଣସି ଶୁଭ କାର୍ଯ୍ୟ କରାଯାଏ ତା ପୂର୍ବରୁ ମହାପ୍ରଭୁଙ୍କ ଖଣ୍ଡୁଆପାଟ ପକାଇବାର ପରମ୍ପରା ରହିଛି । ଯେହେତୁ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୈଠକ ହେଉଥିଲା ସେ ସମୟରେ ଖଣ୍ଡୁଆପାଟ ନିଜ ବେକର ପକାଇଥିଲେ ଭଲ ହୋଇଥାନ୍ତା ବୋଲି ସବୁରି ମହଲରେ ଆଲୋଚନା ହେଉଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଏଭଳି ଆଚରଣ ଦେଖିବାକୁ ମିଳିନଥାଏ । ଏପରିକି ଇଫତାର ପାର୍ଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସିବା ସମୟରେ ଆରମ୍ଭରୁ ଶେଷ ଯାଏଁ ପ୍ରଦତ୍ତ ଗାମୁଛା ପକାଇଥିବାର ନଜିର ରହିଛି । ତେବେ ମୁଖ୍ୟମନ୍ତ୍ରୀ ପୁରୀରେ ପହଁଞ୍ଚିବା ପରେ ତାଙ୍କ ବେକରେ ଖଣ୍ଡୁଆପାଟ ଦିଆଯାଇଥିଲେ ମଧ୍ୟ ବୈଠକ ସମୟରେ ସେ ତାହାକୁ ପକାଇନଥିବା କୁ ନେଇ ଆଜି ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।