Sun. Nov 24th, 2024

ଚନ୍ଦ୍ରବାବୁଙ୍କ ପରେ ସିବିଆଇକୁ ନା କହିଲେ ଦିଦି ଏବଂ କେଜ୍ରି… ଆଉ ଓଡ଼ିଶା ?

By amfnews Nov 17, 2018 #Featured
127 Views

ନୂଆଦିଲ୍ଲୀ, ନଭେମ୍ବର ୧୭: ଆନ୍ଧ୍ରପ୍ରଦେଶରେ ବିନା ଅନୁମତିରେ କୌଣସି ମାମଲା ତଦନ୍ତ କରିପାରିବ ନାହିଁ ଏବଂ ଚଢ଼ଉ କରିପାରିବ ନାହିଁ ସିବିଆଇ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇକୁ ରାଜ୍ୟପକ୍ଷରୁ ଦିଆଯାଇଥିବା ‘ଜେନେରାଲ୍‌ କନ୍‌ସେଣ୍ଟ’ ବା ଫ୍ରି ପାସକୁ ପ୍ରତ୍ୟାହାର କରି ଏପରି ନିଷ୍ପତ୍ତି ନେବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି।

ସିବିଆଇର ନିୟମ ଅନୁଯାୟୀ ଏହା କେବଳ ଏକ ରାଜ୍ୟର ଅନୁମତି ପାଇଥିଲେ ଅବାଧରେ ସମ୍ପୃକ୍ତ ରାଜ୍ୟରେ କୌଣସି ମାମଲାର ତଦନ୍ତ କରିପାରିବ କିମ୍ବା ଚଢ଼ଉ କରିପାରିବ। ପଶ୍ଚିମବଙ୍ଗ ୧୯୮୯ ମସିହାରେ ଏହି ଅନୁମତି ପ୍ରଦାନ କରିଥିଲା। ଆଜି ମମତା ଚନ୍ଦ୍ରବାବୁଙ୍କୁ ସମର୍ଥନ ଜଣାଇବା ସହିତ ବିଜେପିକୁ ସମାଲୋଚନା କରି କହିଥିଲେ, ବିଜେପି ନୋଟ୍‌ ହୁଏତ ବଦଳାଇ ଦେଇପାରେ, କିନ୍ତୁ ଗେମ୍‌ ବଦଳାଇ ପାରିବନି। ଚନ୍ଦ୍ରବାବୁ ଚଳିତ ବର୍ଷ ମାର୍ଚ୍ଚରେ ଏନ୍‌ଡିଏରୁ ସମର୍ଥନ ପ୍ରତ୍ୟାହାର କରିଥିଲେ ଏବଂ ଗତ କିଛି ଦିନ ତଳେ ମନ୍ତବ୍ୟ ଦେଇଥିଲେ, କେନ୍ଦ୍ର ସରକାର ନିଜର ରାଜନୀତିକ ଫାଇଦା ପାଇଁ ସିବିଆଇକୁ ବ୍ୟବହାର କରୁଛନ୍ତି।

ଏହାର ଅନ୍ୟ ଏକ ଦିଗ ଦେଖିଲେ ଜଣାଯାଏ ଗତ କିଛି ଦିନ ତଳେ ଚନ୍ଦ୍ରବାବୁଙ୍କ ତେଲ୍‌ଗୁ ଦେଶମ୍‌ ପାର୍ଟି ସହିତ ଜଡ଼ିତ କିଛି ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକରେ ଆୟକର ବିଭାଗ ଚଢ଼ଉ କରିଥିଲା। ଏହା ଚନ୍ଦ୍ରବାବୁଙ୍କୁ ଝଟ୍‌କା ଦେଇଥିଲା। ସେହଭଳି ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ପ୍ରମୁଖ ଲକ୍ଷ୍ୟରେ ପୂର୍ବ ଭାରତ ରହିଥିବାରୁ ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍‌ କରି ସିବିଆଇକୁ ଅସ୍ତ୍ର କରିବାର ଆଭାସ ସମ୍ଭବତଃ ଦିଦିଙ୍କୁ ମିଳିଯାଇଥିଲା। ଅନୁମତି ନଦେଲେ ଏହି ସମସ୍ୟା ଉପୁଜିବନି ବୋଲି ସେ ଭାବୁଥିଲେ ମଧ୍ୟ ହାଇକୋର୍ଟ କିମ୍ବା ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଲେ କୌଣସି ବି ମାମଲାର ସିବିଆଇ ତଦନ୍ତ କରାଯାଇ ପାରିବ।

ସିବିଆଇକୁ ଏଭଳି ବିରୋଧ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ସିବିଆଇ ନୁହେଁ, ଆୟକର ବିଭାଗର ମଧ୍ୟ ଦୁରୁପଯୋଗ କରୁଛନ୍ତି। ନୋଟ୍‌ବନ୍ଦୀ, ବିଜୟ ମାଲ୍ୟା, ରାଫେଲ ଏବଂ ସାହାରା ବିର୍ଲା ଡାଇରିଜ୍‌ ଆଦି ପ୍ରସଙ୍ଗରେ ସିବିଆଇ କ’ଣ ପଦକ୍ଷେପ ନେଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ସମସ୍ତ ଆଞ୍ଚଳିକ ଦଳ ଯଦି ଏଭଳି ସିବିଆଇକୁ ନା କୁହନ୍ତି, ସଂଘୀୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେବ। ସବୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବାସନ୍ଦ କରିବାପରେ ନିଜ ସରକାର ଅଧୀନରେ ଥିବା ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ମତ ବିରୋଧରେ ଯାଇ କିଭଳି ପଦକ୍ଷେପ ନେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ କ’ଣ ହେବ ?

ସେହିଭଳି ଓଡ଼ିଶାରେ ଖଣି ଦୁର୍ନୀତି ଏବଂ ଚିଟ୍‌ଫଣ୍ଡ ଦୁର୍ନୀତି ସହିତ ଶାସକ ବିଜେଡି ଦଳର କିଛି ବରିଷ୍ଠ ନେତାଙ୍କ ନାମ ଯୋଡ଼ି ହେବା ଏବଂ ସେମାନେ ଜେଲ୍‌ ଯିବା ଭଳି ଘଟଣା ଘଟିଛି। ଏସବୁ ମାମଲାର ତଦନ୍ତ ସିବିଆଇ ଅଧୀନରେ ଚାଲୁ ରହିଛି। ଗତ କିଛି ଦିନ ଧରି ଏସବୁ ମାମଲାର ତଦନ୍ତ ଶିଥିଳ ହୋଇଯାଇଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ ପୁଣି ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ପୂର୍ବରୁ ମଧ୍ୟ ସିବିଆଇ ତଦନ୍ତକୁ ବେଶ୍‌ ଚତୁରତାର ସହିତ ପରିଚାଳନା କରାଯାଇପାରିଥିବାରୁ ରାଜ୍ୟ ସରକାର ‘ଜେନେରାଲ୍ କନ୍‌ସେଣ୍ଟ’ ପ୍ରତ୍ୟାହାର ନକରିପାରନ୍ତି ବୋଲି ମନେ ହୁଏ। ବିଜେଡି ମୁଖପାତ୍ର ପ୍ରତାପ ଦେବ ଏହି ପ୍ରସଙ୍ଗରେ ସ୍ପଷ୍ଟ କରି କହିଛନ୍ତି, ସିବିଆଇର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ଓଡ଼ିଶା ସରକାର ମଧ୍ୟ ଚନ୍ଦ୍ରବାବୁଙ୍କ ରାସ୍ତାରେ ଯିବେ କି ନା ପ୍ରଶ୍ନ ଉଠିବା ଉଚିତ ନୁହେଁ। କାରଣ ବିଭିନ୍ନ ମାମଲାରେ ସିବିଆଇ ବର୍ତ୍ତମାନ ମଧ୍ୟ ତଦନ୍ତ କରୁଛି ଏବଂ ରାଜ୍ୟ ସରକାର ସେଥିରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।

By amfnews

Related Post