Tue. Dec 24th, 2024

ଗୋଟିଏ ଦିନରେ ୩ଟି ବସ୍ତି ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତି ହେଲା : ଡେଲି ମାର୍କେଟ ବସ୍ତିରେ ମିଳିତ ଭାବେ ୩ ବସ୍ତିର ଲୋକଙ୍କ ସମାବେଶ

rklsanchar@gmail.com' By J.N. Pradhan Jul 22, 2018 #Featured
244 Views

ରାଉରକେଲା, ୨୨/୭: ରାଉରକେଲା ସହରକୁ ମଳମୂତ୍ର ତ୍ୟାଗମୁକ୍ତ ସହରରେ ପରିଣତ କରିବା ଦିଗରେ ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ଏକ ବଡ ସଫଳତା ହାସଲ କରିଛନ୍ତି । ୱାର୍ଡ ନମ୍ବର ୧୪ ଅଧିନରେ ଥିବା ଓଲଡ ଆଉଟ ଷ୍ଟେସନ ରୋଡ ବସ୍ତି ଓ ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଓଲଡ ଷ୍ଟେସନ ବସ୍ତି ଏବଂ ଡେଲି ମାର୍କେଟ ବସ୍ତିକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ କରିବାରେ ସଫଳ ହୋଇଛନ୍ତି ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷ । ଏହି ସଫଳତାକୁ ୩ଟି ବସ୍ତିର ଲୋକେ ମିଳିତ ଭାବେ ଡେଲି ମାର୍କେଟ ବସ୍ତିରେ ଏକ ଉତ୍ସବ ଆୟୋଜନ କରି ଉତ୍ସାହର ସହ ପାଳନ କରିଛନ୍ତି ।

ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷ, ରାଉରକେଲା ମହାନଗର ନିଗମ ଓ ଫିଡ୍ବ୍ୟାକ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏହି ସଫଳତା ମିଳିପାରିଛି । ପ୍ରଥମେ ବିଭାଗୀୟ ଅଧିକାରୀ ତଥା ଫିଡ୍ବ୍ୟାକ ଫାଉଣ୍ଡେସନର କର୍ମକର୍ତ୍ତାମାନେ ବସ୍ତି ବାସିନ୍ଦାଙ୍କୁ ବାହ୍ୟ ମଳ ତ୍ୟାଗର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ବିରତ ରହିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ନିରୀକ୍ଷଣ କମିଟିମାନ ଗଠନ କରିଥିଲେ । ଏହି ନିରୀକ୍ଷଣ କମିଟି ପ୍ରତିଦିନ ଭୋର ତଥା ସନ୍ଧ୍ୟା ସମୟରେ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ବୁଝାଇ ବ୍ୟକ୍ତିଗତ ପାଇଖାନା ତଥା ଗୋଷ୍ଠୀ ପାଇଖାନା ବ୍ୟବହାର ପାଇଁ ପ୍ରେରିତ କରିଥିଲେ ।

ଘରକୁ ଘର ବୁଲି ଏନେଇ ଲୋକମାନଙ୍କୁ ସଚେତନ କରାଯିବା ସହ ଗୋଷ୍ଠୀ ବୈଠକ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ଦ୍ୱାରା ସ୍ଥାନୀୟ ବାସିନ୍ଦାମାନେ ଖୋଲା ସ୍ଥାନରେ ମଳତ୍ୟାଗ ନ କରିବାକୁ ଶପଥ ନେଇଥିଲେ । ଯାହାର ଫଳସ୍ୱରୂପ ଆଜି ୩ଟି ବସ୍ତି ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇପାରିଛି । ଏହି ଅବସରରେ ଡେଲି ମାର୍କେଟ ବସ୍ତିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ଟି ବସ୍ତିର ନିରୀକ୍ଷଣ କମିଟି ସଦସ୍ୟମାନେ ନିଜ ନିଜ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

କିପରି ନିରନ୍ତର ଭାବେ ସଚେତନତା କାର୍ଯ୍ୟକ୍ରମ କରାଯିବା ଦ୍ୱାରା ଲୋକମାନେ ବାହାରେ ମଳତ୍ୟାଗ କରିବା ଅଭ୍ୟାସକୁ ତ୍ୟାଗ କରି ଏବେ ପାଇଖାନା ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ସେମାନେ ନିଜ ନିଜ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଆର୍ଏସ୍ସିଏଲ୍, ଆର୍ଏମ୍ସି ଓ ଫିଡ୍ବ୍ୟାକ ଫାଉଣ୍ଡେସନ ଅଧିକାରୀ ତଥା କର୍ମକର୍ତ୍ତାମାନେ ଯୋଗ ଦେଇ ବସ୍ତିବାସିନ୍ଦାଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ତେଲୁଗୁପଡା ବସ୍ତି, ମାଗୁଣି ବସ୍ତି ଓ ମା’ କଲ୍ୟାଣୀ ଝୁମ୍ପୁଡି ବସ୍ତି, ମନଟୋଲା ବସ୍ତି, ଗାଢାଟୋଲା ବସ୍ତି ଓ ଚାଚି ବସ୍ତିକୁ ବାହ୍ୟ ମଳତ୍ୟାଗମୁକ୍ତ ବସ୍ତି ଭାବେ ଘୋଷଣା କରାଯାଇଥିଲା ।

Related Post