182 Views
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଗୁରୁପ୍ରିୟା ସେତୁ ବିରୋଧରେ ମାଓ ସମର୍ଥକ ମେଳି କରୁଛନ୍ତି।ବିଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟାକୁ ବିରୋଧ କରିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା କହିଛନ୍ତି। ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି ତ ଏକର ଏକର ଜମିରେ ପାଣି ମାଡିଯାଇ ଫସଲ ନଷ୍ଟ ହୋଇଛି। ଲୋକଙ୍କୁ କ୍ଷତିପୂରଣ ଦାବି କରି ଏକ ବିରାଟ ଶୋଭାଯାତ୍ରା କରିଥିଲେ ସମର୍ଥକମାନେ।
ସୂଚନା ମୁତାବକ ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳ ଯାହା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳରେ ଥିବା ୫ଟି ପଞ୍ଚାୟତର ପ୍ରାୟ ୫ ହଜାରରୁ ଅଧିକ ମାଓ ସମର୍ଥକ ଏକାଠି ହୋଇ ଲାଲ ବାହିନୀର ଇସାରାରେ କରିଛନ୍ତି ପ୍ରଜାମେଳି ।
ବିଶେଷ କରି ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି । ଏହା ସହ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଥିବାବେଳେ କୌଣସି ସରକାରୀ ଅଧିକାରୀଙ୍କ ପାଦପଡୁନଥିବା ଅଭିଯୋଗ କରିଛନ୍ତି ସେମାନେ । ୪୦ଦିନରୁ ଊର୍ଦ୍ଧ୍ୱ ହେବ ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗ୍ରାମ ଅନ୍ଧାର ହୋଇ ରହିଛି। ଏହାସହ ଚଳିତ ବର୍ଷର ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତି ପୂରଣ ଦାବି କରିଛନ୍ତି । ବ୍ୟାନର ଓ ପୋଷ୍ଟର ମାରି ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି ଏହି ପ୍ରଜାମେଳି ସମ୍ପର୍କରେ ମାଲକାନଗିରି ପୋଲିସ ସହ ଯୋଗାଯୋଗ କରିଯାଇଥିଲା । ସାମାନ୍ତ ଅଞ୍ଚଳରେ ଏହି ପ୍ରଜାମେଳି ହୋଇଥିବା ମାଲକାନଗିରି ଏସ୍ପି ସ୍ପଷ୍ଟ କରିଛନ୍ତି।
ଶୋଭାଯାତ୍ରା ପରେ ଏକ ପାହାଡ଼ିଆ ଅଞ୍ଚଳରେ ପ୍ରଜାମେଳି କରିଥିଲେ। ବିଚ୍ଛିନ୍ନାଞ୍ଚଳରେ ଆଜି ବି ବିକାଶ ପହଞ୍ଚି ପାରିନି। ସ୍ୱାଭିମାନ ଅଞ୍ଚଳ ଘୋଷଣା କରାଯାଇଛି ସତ ହେଲେ ବିକାଶଠାରୁ ଏହା ଅପହଞ୍ଚ ବୋଲି ସରକାରଙ୍କୁ ଦୃଢ଼ ନିନ୍ଦା କରି ଏହି ମେଳିର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ନାଲି ରଙ୍ଗର ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖାଦେଇଛି। ଏବେ ବି ଲାଲବାହିନୀର ପତନ ମାଲକାନଗିରିରେ ହୋଇନାହିଁ ବୋଲି ମେଳିରେ କୁହାଯାଇଛି।