Sat. Mar 7th, 2026

କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ଆସିଲେ ପାଟଣାଗଡ଼ ବିଧାୟକ; ଆଜି ଜାମିନ୍ ଆବେଦନର ଶୁଣାଣି

163 Views

ଭୁବନେଶ୍ୱର : ଜେଇଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବ। ଭୁବନେଶ୍ୱର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ୍‌ ସେସନ୍ସ କୋର୍ଟରେ ଏହି ଶୁଣାଣି ହେବ। ଏଥିପାଇଁ ଗତକାଲି ରାତିରେ ପାଟଣାଗଡ଼ ଡାକ୍ତରଖାନାରୁ ବିଧାୟକଙ୍କୁ ଡିସ୍‌ଚାର୍ଜ କରାଯାଇ ପାଟଣାଗଡ଼ ଜେଲ୍‌କୁ ନିଆଯାଇଥିଲା। ଏହାପରେ ବିଳମ୍ବିତ ରାତିରେ କଡ଼ା ସରୁକ୍ଷା ମଧ୍ୟରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି।

ଶୁଣାଣି ବେଳେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର, ତାଙ୍କ ପତ୍ନୀ ତଥା ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍‌ଡିପିଓ ଓ ପାଟଣାଗଡ଼ ଏଡିଜି କୋର୍ଟର ସରକାରୀ ଓକିଲ ଉପସ୍ଥିତ ରହିବେ।

ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଗମ୍ଭାରୀ ଗାଁର ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ୍ କରାଇଥିଲେ। ଏ ନେଇ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଗତ ୨୪ ତାରିଖରେ ପୁଲିସ୍‌ ବିଧାୟକଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ପାଇଁ ଭୁବନେଶ୍ୱରରେ ସ୍ପେଶାଲ ଜଜ୍‌ ନିଯୁକ୍ତ କରାଯାଇଥିବାରୁ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଭୁବନେଶ୍ୱର କୋର୍ଟରେ ହେବ।

By amfnews

Related Post