Sun. Mar 8th, 2026

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ

228 Views

ପଟାଙ୍ଗି, ଡିସେମ୍ବର ୨୭  : ‌ବାରମ୍ବାର ବାରଣ ସତ୍ତ୍ବେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ଅକ୍ତିଆରରେ ନେବା ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି ପଡ଼ୋଶୀ ଆନ୍ଧ୍ର ସରକାର। ସରକାରୀ କାଗଜପତ୍ରରେ ଏହି ବିବାଦୀୟ ଅଞ୍ଚଳର ବାସିନ୍ଦାଙ୍କୁ ନିଜର ଦର୍ଶାଇକୁ ଯାଇ ବଡ଼ ଷଡ଼ଯନ୍ତ୍ର କରିଛନ୍ତି। ଯାହାର ପ୍ରମାଣ ୩ଦିନ ତଳେ ଆନ୍ଧ୍ର ପକ୍ଷରୁ ଏହି ଅଞ୍ଚଳରେ ହୋଇଥିବା ସର୍ଭେ ପରେ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରର ଦୁଇ ଅଧିକାରୀ ଓଡ଼ିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନକୁ କିଛି ନଜଣାଇ ଅବାଧରେ ଏହି ଅଞ୍ଚଳରେ ପଶିଥିଲେ। ଗାଁ ଗାଁ ବୁଲି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ। କ’ଣ ସବୁ ସୁବିଧା ଆଗକୁ ମିଳିବ ସେନେଇ ବି ପ୍ରକାଶ କରିଥିଲେ। ଲୋଭନୀୟ ପ୍ରତିଶ୍ରୁତି ଯୋଗୁଁ କୋଟିଆବାସୀ ଆନ୍ଧ୍ର ଅଧିକାରୀଙ୍କ କଥାରେ ଭଳି ଯାଇଥିଲେ। ଏହାପରେ ଦୁଇ ଅଧିକାରୀ ଘର ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ। ପରଦିନ ପୁଣି କିଛି କର୍ମଚାରୀ ଗାଁ ଗାଁ ବୁଲିଥିବା ସୂଚନା ମିଳିଛି।

ଜନସମର୍ଥନକୁ ଜୁଟାଇ କୋଟିଆକୁ ନିଜ ଅଧୀନକୁ ନେବା ପାଇଁ ନୂଆ ବ୍ଲୁ-ପ୍ରିଣ୍ଟ କରିଛନ୍ତି ଆନ୍ଧ୍ର ସରକାର। ଏହିକ୍ରମରେ ଲୋକଙ୍କୁ ଆଧାର କାର୍ଡ, ରାସନ କାର୍ଡ ଏବଂ ମାସିକ ଭତ୍ତା ଦେବାକୁ ବିବାଦୀୟ କୋଟିଆ ଅଞ୍ଚଳରେ ସର୍ଭେ କରିଛନ୍ତି। ପ୍ରାୟ ୩ଦିନ ତଳେ କିଛି କର୍ମଚାରୀ ବିଭିନ୍ନ ଗାଁ ବୁଲି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ସହ ଫଟୋ, ଟିପ୍ ଚିହ୍ନ ଆଦି ନେଇ ଯାଇଛନ୍ତି। ଏପରିକି ଆସନ୍ତା ଜାନୁଆରି ମାସରୁ ଲୋକଙ୍କୁ ଭତ୍ତା, ରାସନ କାର୍ଡ ଆଦି ଯୋଗାଇ ଦିଆଯିବ ବୋଲି କହିଥିବା ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏନେଇ ବିଳମ୍ବରେ ସୂଚନା ମିଳିଛି। କିନ୍ତୁ ଆନ୍ଧ୍ର ସରକାରଙ୍କ ଏମିତି ଅନୁପ୍ରବେଶ ପୁଣି କୋଟିଆକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ଆକଟ କରିବା ପରେ ବି ଆନ୍ଧ୍ର ଅଧିକାରୀ କୋଟିଆରେ ପଶିବା ଆନ୍ଧ୍ର ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ତେଣୁ ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

By amfnews

Related Post