Sun. Mar 8th, 2026

କୋଇଲା ଖଣିରେ ମାଟି ଧସିବା ଘଟଣା: ମାଟି ତଳୁ ଏକ କଟା ଗୋଡ଼ ଉଦ୍ଧାର

215 Views

ଅନୁଗୋଳ : ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଦୁର୍ଘଟଣାକୁ ୪ ଦିନ ହେଲାଣି। ତେବେ ଏବେ ବି ୩ ଜଣ ଶ୍ରମିକ ନିଖୋଜ ଅଛନ୍ତି। ମାଟି ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏନ୍‌ଡିଆର୍‌ଏଫ୍‌ର ୩୦ଜଣିଆ ଟିମ୍ ଏହି କାର୍ଯ୍ୟରେ ଲାଗିଥିବା ବେଳେ ଆଜି ମାଟି ତଳୁ ଏକ କଟା ଗୋଡ଼ ଉଦ୍ଧାର କରାଯାଇଛି। ତେଣୁ ମାଟି ତଳେ ଦବି ରହିଥିବା ଶ୍ରମିକଙ୍କ ବଞ୍ଚିବା ଆଶା କମି କମି ଯାଉଛି। ଅନ୍ୟପକ୍ଷରେ ଖଣି ସୁରକ୍ଷା ଦାବିରେ ଆଜି ବିଜେପି ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଖଣି ବନ୍ଦ ଯୋଗୁଅ କୋଇଲା ଉତ୍ତୋଳନ ଓ ପରିବହନ ପୂରା ଠପ୍ ହୋଇ ଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ କରାଯାଇଥିଲା। ଏହି ସମୟରେ ପ୍ରାୟ ୫୦୦ମିଟର ଯାଏ ମାଟି ଧସି ଯାଇ ଖଣି ଭିତରକୁ ପ୍ରବେଶ କରିଥିଲା। ସେହି ସମୟରେ ୪୦ରୁ ୫୦ ଜଣ ଶ୍ରମିକ ଖଣି ଭିତରେ କାର୍ଯ୍ୟ କରୁଥିଲେ। ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଅବସ୍ଥାରେ ସେଠାରୁ ବାହାରି ଆସିଥିବା ବେଳେ ୧୩ ଜଣ ଶ୍ରମିକ ମାଟିତଳେ ଚାପି ହୋଇଯାଇଥିଲେ।। ୯ ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରଯାଇଥିବା ବେଳେ ଜଣେ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଉଦ୍ଧାର ହୋଇଥିବା ୯ ଜଣ ଶ୍ରମିକଙ୍କର ଚିକିତ୍ସା ଚାଲିଛି।

 

By amfnews

Related Post