Fri. Jan 10th, 2025

କେରଳ ବନ୍ଦ, ବ୍ୟାପକ ହିଂସା ୨୬୬ ଗିରଫ, ହାଜତରେ ୩୩୪

By amfnews Jan 4, 2019 #Featured
132 Views

ଥିରୁବନନ୍ତପୁରମ୍‌: ସବରିମାଳା ମନ୍ଦିରରେ ଦୁଇ ମହିଳାଙ୍କ ପ୍ରବେଶ ପରେ ବିବାଦ ଉଗ୍ର ରୂପ ନେଇଛି। ସବରିମାଳାକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ରାୟର ୯୫ ଦିନ ପରେ ଗତକାଲି ୨ ଜଣ ମହିଳା ସବରିମାଳା ମନ୍ଦିରରେ ପ୍ରବେଶ କରିଥିବାରୁ ଏହାକୁ ବିରୋଧ କରି ଆଜି ‌କେରଳରେ ବନ୍ଦ ପାଳନ ହୋଇଛି। ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରାଯାଇଛି। ସବରିମାଳା କର୍ମ ସମିତି ଦ୍ବାରା ଆଜି ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହୋଇଛି। ବଳପୂର୍ବକ ଦୋକାନ ବଜାର ବନ୍ଦ କରି ଦିଆଯାଇଛି। ଗତକାଲି ଶାସକ ସିପିଆଇ(ଏମ୍‌) ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ସମୟରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇ ଯାଇଛି। ସେ ସବରିମାଳା କର୍ମ ସମିତିର ଜଣେ ସଦସ୍ୟ। ଗତକାଲି ସଂଘର୍ଷ ସମୟରେ ତାଙ୍କ ମୁଣ୍ଡରେ ପଥର ଆଘାତ ଲାଗିଥିଲା।

ଘଟଣାରେ ୨୬୬ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ଭାବ୍ୟ ହିଂସାକାଣ୍ଡ ଏଡ଼ାଇବା ପାଇଁ ୩୩୪ ଜଣଙ୍କୁ ଆଗୁଆ ହାଜତକୁ ନିଆଯାଇଛି। କେରଳ ସରକାରଙ୍କ ବିରୋଧରେ ହୋଇଥିବା ଆଜିର ଏହି ଆନ୍ଦୋଳନ ଏବଂ ବନ୍ଦ ପାଳନ ସମୟରେ ୩୮ ପୁଲିସ ସମେତ ୧୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଥ୍ରିସୁରରେ ବନ୍ଦ ପାଳନ ସମୟରେ ୪ ଜଣ ବିଜେପି କର୍ମୀ ଛୁରାମାଡ଼ର ଶିକାର ହୋଇଛନ୍ତି। ଆନ୍ଦୋଳନକୁ ବିଜେପି ସମର୍ଥନ କରିଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ଆଜି କଳା ଦିବସ ପାଳନ କରିଛି। କୋଝିକୋଡ଼, କସରଗଡ୍‌ ଏବଂ ଓତ୍ତପଲମ୍‌ରେ ଆଜି ବିଭିନ୍ନ ପାର୍ଟି ଅଫିସ୍‌ ଉପ‌ରେ ଆକ୍ରମଣ ହୋଇଥିବାବେଳେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଟିୟର ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିଥିଲା। ଏର୍ନାକୁଲମ୍‌ ଏବଂ ମଲ୍ଲପୁରମ୍‌ ଜିଲ୍ଲାରେ ଆଜି ସିପିଆଇ(ଏମ୍‌) ଅଫିସ ଉପରକୁ ପଥର ମାଡ଼ ହୋଇଛି।

ପଲକ୍କଡ଼ରେ ବିଜେପି ଏବଂ ଆରଏସଏସ୍‌ର ପଦଯାତ୍ରା ସମୟରେ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି। ବନ୍ଦ ପାଳନ ଯୋଗୁଁ ମାତ୍ରାଧିକ ଦୋକାନ ବଜାର ଗୁଡ଼ିକ ବଳପୂର୍ବକ ବନ୍ଦ କରିଦିଆଯାଇଥିଲା ଏବଂ ଯାନବାହନ ଚଳପ୍ରଚଳ ମଧ୍ୟ ବନ୍ଦ ରହିଛି। କେରଳ, କାଲିକଟ୍‌, କନ୍ନୁର ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ପୁଲିସ ମୁଖ୍ୟ ଲୋକନାଥ ବେହେରା କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨ ମହିଳାଙ୍କୁ ମନ୍ଦିର ପ୍ରବେଶ କରାଇବାରେ ସାହାଯ୍ୟ କରିବା ତାଙ୍କ ସରକାରଙ୍କ ସାମ୍ବିଧାନିକ ଦାୟିତ୍ବ ଥିଲା।

By amfnews

Related Post