Sat. Mar 7th, 2026

କାଲି ଫେରିବ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା

145 Views

ପୁରୀ : ଘରୋଇ ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି ଫେରିବ। ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ଏହି ଖବର ପ୍ରଚାରିତ ହେବା ପରଠୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି।

ଆଜି ସଂଧ୍ୟା ୬ଟାରେ ପୁନଃ କାର୍ଯ୍ୟକ୍ଷମ ହେଉଛି ୟେସ୍ ବ୍ୟାଙ୍କ। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ତେଣୁ ଆସନ୍ତାକାଲି ମାଚ୍ୟୁରିଟି ପୂରୁଥିବାରୁ ଟଙ୍କା ଉଠିବ ବୋଲି ଜଣାଯାଇଛି।

ୟେସ୍‌ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିଯିବାରୁ ସେଥିରେ ଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା ବୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ନେଇ ରାଜ୍ୟ ସାରା ତୁମ୍ବି ତୋଫାନ ଦେଖା ଦେଇଥିଲା। ଏହାକୁ ନେଇ ବିରୋଧି ସରକାରଙ୍କୁ ଘେରିଥିଲେ।

ଶେଷରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏ ସଂକ୍ରାନ୍ତରେ ଲିଖିତ ଉତ୍ତର ଦେଇଥିଲେ। ତାଙ୍କ ବିବୃତି ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା। ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ଜମା ଥିଲା।

ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ୍ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବାକି ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀ ଗୃହରେ ଜଣାଇଥିଲେ।

By amfnews

Related Post