Sun. Mar 8th, 2026

କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ରାଜ୍ୟବ୍ୟାପୀ କଟକଣା ଓ ସଚେତନତାମୂଳକ ଅଭିଯାନ ଜୋରଦାର

191 Views

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ବିଭିନ୍ନ ଜିଲ୍ଲାର ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ କଟକଣା ଓ ସଚେତନତା ଅଭିଯାନ ଆରମ୍ଭ ହୋଇଛି। କରୋନା ମୁକାବିଲା ପାଇଁ  ଯାଜପୁରରେ ୧୪୪ ଧାରା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛି। ପର୍ଯ୍ୟଟକଙ୍କ ଗାଡ଼ିକୁ ଜିଲ୍ଲାରେ ପ୍ରବେଶ ନିଷେଧ କରାଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଭଦ୍ରକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ତେଣେ ଗଜପତି ଜିଲ୍ଲାରେ ଥିବା ସମସ୍ତ ମଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ମଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅନୁପମ୍ ଶାହା।

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୁରୀ ଆସୁଥିବା ଗାଡ଼ିକୁ ପିପିଲିସ୍ଥିତ ଚେକ ଗେଟରେ ଯାଞ୍ଚ କରାଯାଇ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ପିପିଲି ଟୋଲ୍‌ ଗେଟ୍‌ ଦେଇ ଯାଉଥିବା ସମସ୍ତ ଯାନବାହନ ବିଶେଷକରି, ପର୍ଯ୍ୟଟକମାନଙ୍କ ଗୁଡ଼ିକୁ ଯାଞ୍ଚ କରାଯାଉଛି। ମିଳିଥିବା ଖବର ଅନୁସାରେ, ପିପିଲି ଟୋଲ୍‌ ଗେଟ୍‌ ଠାରେ ଶତାଧିକ ପର୍ଯ୍ୟଟକ ଗାଡ଼ିକୁ ପୁରୀ ମଧ୍ୟକୁ ପ୍ରବେଶ କରାଇ ଦିଆଯାଇ ନାହିଁ। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି।

କୋଣାର୍କର ସୂର୍ଯ୍ୟମନ୍ଦିର ପରିସର ଫାଟକରେ ତାଲା ପକାଇ ବନ୍ଦ କରାଯାଇଛି। ପ୍ରଶାସନ ଠାରୁ ପରବର୍ତ୍ତୀ ଆଦେଶନାମା ନ ମିଳିବା ଯାଏଁ କୋଣାର୍କ ପରିଦର୍ଶନ ବନ୍ଦ ରହିବ ବୋଲି ଫାଟକରେ ବିଜ୍ଞପ୍ତି ଲାଗିଛି।  କାକଟପୁର ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ମଧ୍ୟ ଦର୍ଶନାର୍ଥୀଙ୍କ ଆଗମନ ଉପରେ କଟକଣା ଲାଗିଛି। ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ନୋଟିସ୍ ଜାରି ହୋଇଛି।

ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଏକ ଘୋଷଣା ପତ୍ର ପୂରଣ କରିବା ବାଧ୍ୟତାମୂଳକ କରାଯାଇଛି। ଦର୍ଶନାର୍ଥୀ କିଂବା ତାଙ୍କ ପରିବାରର କୌଣସି ସଦସ୍ୟ ୨୦୧୯ ଡିସେମ୍ବର ମାସରୁ କରୋନାଭାଇରସ୍‌ ସଂକ୍ରମିତ ଅଞ୍ଚଳ, ରାଜ୍ୟ କିଂବା ଦେଶକୁ ଯାଇନାହାନ୍ତି, ସେମାନେ କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ନୁହନ୍ତି, ସେମାନଙ୍କୁ ୧୫ ଦିନ ମଧ୍ୟରେ କାଶ, ଥଣ୍ଡା, ଛିଙ୍କ ବା ଜ୍ୱର ନାହିଁ ବୋଲି ଏଥିରେ ସ୍ପଷ୍ଟ କରିବାକୁ କୁହାଯାଇଛି।

ଜଗତ୍‌ସିଂହପୁର ଜିଲ୍ଲାରେ ଥିବା ମା’ ଶାରଳାଙ୍କ ମନ୍ଦିର ଦର୍ଶନ ପାଇଁ ମଧ୍ୟ ଯାତ୍ରୀଙ୍କ ପ୍ରତି କଟକଣା ଲାଗୁ କରାଯାଇଛି। କରୋନାଭାଇରସ୍‌ ସଂକ୍ରମଣ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି।

ଗଞ୍ଜାମର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାନଖେମୁଣ୍ଡିସ୍ଥିତ ଉଷ୍ଣପ୍ରସ୍ରବଣ ତପ୍ତପାଣି ଏବଂ ମୃଗବିହାରକୁ ପୋଡ଼ାମାରି ବନ ବିଭାଗ ପର୍ଯ୍ୟକଟଙ୍କ ନିମନ୍ତେ ବନ୍ଦ କରିଛି। ଏହାଛଡ଼ା ତପ୍ତପାଣି ପାନ୍ଥ ନିବାସକୁ ମଧ୍ୟ ପ୍ରଶାସନର ଆଦେଶକ୍ରମେ ବନ୍ଦ ରଖାଯାଇଥିବା କଥା ମ୍ୟାନେଜର କହିଛନ୍ତି। ଜିଲ୍ଲା ପ୍ରଶାସନ ବ୍ରହ୍ମପୁରରେ ଥିବା ବିଭିନ୍ନ ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ବନ୍ଦ କରିଛି।

By amfnews

Related Post