Fri. Mar 6th, 2026

କରୋନାଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରୁ ନିଜ ନାଗରିକମାନଙ୍କୁ ଫେରାଇ ଆଣୁ ଭାରତ: ଇରାନ୍‌ ଦୂତାବାସ

196 Views

ନୂଆଦିଲ୍ଲୀ : ଇରାନ୍‌ରେ ଥିବା ଭାରତୀୟମାନଙ୍କୁ ଫେରାଇ ନେବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଇରାନ୍‌ ଭାରତକୁ କହିଛି। ଚୀନ୍‌ ବ୍ୟତୀତ ଇରାନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ ଠାରେ ଥିବା ଇରାନର ଦୂତାବାସ ‘ନୋଟ୍‌ ଭର୍ବେଲ୍‌’ ଜାରି କରି ଶନିବାର ଦିନ ଏ ସଂକ୍ରାନ୍ତରେ ଭାରତ ସରକାରଙ୍କୁ ଅବଗତ କରାଇଛି।
ଏଥିରେ ଉଲ୍ଲେଖ ରହିଛି ଯେ ବିମାନ କଟକଣା ଯୋଗୁଁ ଅଟକି ରହିଥିବା ଉଭୟ ଦେଶର ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ବୈଦେଶିକ ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଶୁକ୍ରବାର ଦିନ ଭାରତ ଇରାନ୍‌କୁ ଯାଉଥିବା ଏବଂ ଇରାନ୍‌ରୁ ଆସୁଥିବା ସମସ୍ତ ବିମାନକୁ ସାମୟିକ ଭାବେ ବନ୍ଦ ରଖିଛି। ବିମାନ ସେବା ବନ୍ଦ ଯୋଗୁଁ ୨୦୦ରୁ ଅଧିକ ଭାରତୀୟ ଏବଂ ୩୦୦ରୁ ଅଧିକ ଇରାନ୍‌ ନାଗରିକ ପ୍ରଭାବିତ ହୋଇଛନ୍ତି।
ଇରାନ୍‌ କହିଛି ଯେ ଇରାନୀୟମାନଙ୍କୁ ନିଜ ଦେଶକୁ ଫେରାଇ ଦେବା ନିମନ୍ତେ ଭାରତ ବ୍ୟବସ୍ଥା କରୁ।

ଇରାନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ, କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଇରାନ୍‌ରେ ୩୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୮୮ରୁ ଅଧିକ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଇରାନ୍‌ ସଂସଦର ୪ଜଣ ସଦସ୍ୟ।

By amfnews

Related Post