Sun. Jun 8th, 2025

କପା ଚାଷ କରି ଚିନ୍ତାରେ ପଡ଼ିଛନ୍ତି ଚାଷୀ

By amfnews Oct 2, 2019 #Featured
296 Views

ଧର୍ମଗଡ଼  : କଳାହାଣ୍ଡି ଜିଲ୍ଲାରେ କପା ଚାଷ କରିଥିବା ଚାଷୀମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନଙ୍କ ଚିନ୍ତାର କାରଣ ପାଲଟିଛି ପୋକ। ଗୋଟିଏ ପରେ ଗୋଟିଏ କପା ଜମିକୁ ମାଡ଼ିବାରେ ଲାଗିଛନ୍ତି ପୋକ। କ’ଣ କରିବେ, କେମିତି ଚାଷ ବଞ୍ଚାଇବେ, ସେହି କଥା ଭାବି ଭାବି ସେମାନେ ଏବେ ଚିନ୍ତିତ ହୋଇପଡ଼ିଛନ୍ତି। କିଛି ବୁଦ୍ଧିବାଟ ଦେଖା ଯାଉ ନଥିବାରୁ କୃଷି ବିଭାଗ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରୁ ବୋଲି ଚାଷୀମାନେ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଶହ ଶହ ଏକର ଜମିରେ କପା ଚାଷ କରିଛନ୍ତି ଚାଷୀ। ହେଲେ ଏବେ ଏଥିରେ ପୋକ ମାଡ଼ିବା ଆରମ୍ଭ କଲେଣି। ଅନେକ ଜମିରେ ଲେଡ଼ା ଓ ମାଟିଆଗୁଣ୍ଡି ପୋକ ସେମାନଙ୍କ କାୟା ବିସ୍ତାର କରିସାରିଲେଣି। ଧୀରେ ଧୀରେ ଏମାନେ ଗୋଟିଏ ପରେ ଗୋଟିଏ ଜମିକୁ ମାଡ଼ୁଛନ୍ତି। ଠିକ୍ କପା ଫଳ ହେଇ ଆସିଲା ବେଳକୁ ହୋଇଛନ୍ତି ଏହି ପୋକ। ଏହି ପୋକ ଯୋଗୁ କପା ଗଛ ପତ୍ର ହଳଦିଆ ହୋଇଯାଉଛି। ଫୁଲ ଝଡ଼ି ଶୁଖି ଝଡ଼ି ଯାଉଛି। କୃଷି ବିଭାଗ ଏହାର ତୁରନ୍ତ ପ୍ରତିକାର ପାଇଁ ବ୍ୟବସ୍ଥା ନକଲେ ଚାଷ ପୂରା ଉଜୁଡ଼ି ଯିବ ବୋଲି ଚାଷୀମାନେ କହିଛନ୍ତି। ଆଉ ଚାଷ ଉଜୁଡ଼ି ଗଲେ ପରିବାର କେମିତି ପୋଷିବେ ତଥା ଋଣ କେମିତି ଶୁଝିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

ବ୍ରଜ ନାଏକ ନାମକ ଜଣେ କପା ଚାଷୀ କହିଛନ୍ତି, “ମୁଁ ସାଢ଼େ ତିନି ଏକ ଜମିରେ କପା ଚାଷ କରିଛି। ହେଲେ ପୋକ ଚାଷ ନଷ୍ଟ କରି ଦେଲେଣି।” କଳାହାଣ୍ଡିର କୃଷି ଅଧିକାରୀ ନାରାୟଣ ଉପାଧ୍ୟାୟ କହିଛନ୍ତି,“ ରୋଗ ପୋକରୁ ଚାଷକୁ ରକ୍ଷା କରିବା ପାଇଁ ପ୍ରତି ବ୍ଲକରେ ସବ୍‌ସିଡିରେ ଔଷଧ ମିଳୁଛି। ତାହାକୁ ଚାଷୀମାନେ କିଣି ଜମିରେ ସିଞ୍ଚନ କରନ୍ତୁ।”

ସୂଚନାଯୋଗ୍ୟ, ଜୁନାଗଡ଼ ବ୍ଲକରେ ପ୍ରାୟ ଅଧିକାଂଶ ଢିପଜମିରେ କପା ଚାଷ କରାଯାଇଥାଏ। କପା ଚାଷ କରି ଏ ଅଞ୍ଚଳର ବହୁ ଚାଷୀ ନିଜ ପରିବାର ଚଳାନ୍ତି।

By amfnews

Related Post