Sat. Mar 7th, 2026

କଟକ: ପୋଲ ଉପରୁ ମହାନଦୀକୁ ଖସିପଡ଼ିଲା ବସ, ସମସ୍ତ ଯାତ୍ରୀ ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି

281 Views

କଟକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକର ଜଗତପୁର ଠାରେ ମହାନଦୀକୁ ଖସିପଡ଼ିଛି। ସୂଚନା ଅନୁସାରେ ଚାଳକ ପୋଲ ଉପରେ ବସ ଯାଉଥିବା ବେଳେ ଏକ ମଇଁଷିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ଅନୁଗୁଳ ଜିଲ୍ଲାର ତାଳଚେର ଠାରୁ କଟକ ଆସୁଥିଲା। ଜଗତପୁରରୁ ଶିଖରପୁର ଅଭିମୁଖେ ପ୍ରବେଶ କରୁଥିବା ବେଳେ ପୋଲ ଉପରୁ ମହାନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

ସୂଚନା ଅନୁସାରେ ପୋଲ ଉପରେ ବସ୍‌ଟି ଯାଉଥିବା ବେଳେ କଡ଼ରେ ଥିବା ସୁରକ୍ଷା ବାଡ଼କୁ ଶକ୍ତ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ, ବସ୍‌ଟି ୩୦ ଫୁଟ୍‌ ତଳକୁ ଖସିପଡ଼ିଛି।

ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୁଶାନ୍ତ ସେଠୀ କହିଛନ୍ତି, ବସ୍‌ରେ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ନିୟୋଜିତ ଅଛନ୍ତି। ମହାନଦୀର ବାଲୁକା ଶର୍ଯ୍ୟାରେ ବସ୍‌ଟି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ହେଉଛି। ଦୁର୍ଘଟଣାସ୍ଥଳ ନିକଟରେ ପାଣି ଥିବାରୁ ୨ଟି ଡଙ୍ଗା ସାହାଯ୍ୟରେ ଆହତମାନଙ୍କୁ ଆମ୍ବୁଲାନ୍ସକୁ ନିଆଯାଉଛି। ଅନ୍ୟପକ୍ଷରେ ଅନ୍ଧାର ହୋଇ ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି।

ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା: ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

By amfnews

Related Post