ଭୁବନେଶ୍ବର, ଡିସେମ୍ବର ୩୧ : ଗାଁ ଆକାଶରେ ଉଡ଼ିଯାଉଥିବା ଉଡ଼ାଜାହାଜର ଉପଲବ୍ଧି। ସାଇକେଲ୍ରେ ଗାଁ’ଦାଣ୍ଡରେ ଘୂରି ବୁଲିବାର ନିଚ୍ଛକ ଦୃଶ୍ୟ। ରେଳ ଗାଡ଼ି ଦେଖି ଚିତ୍କାର କରୁଥିବା ସରଳ ମଣିଷ ଆଖିରେ ଆଶ୍ଚର୍ଯ୍ୟ। ଚଳଚ୍ଚିତ୍ରରେ ଏସବୁ ଯେ ଗୋଟେଗୋଟେ ଦୃଶ୍ୟ ହୋଇପାରେ, ସତୁରି ଦଶକରେ ଏହାର ପ୍ରମାଣ ଦେଇ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ମାଟିର ମଣିଷ’କୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଥିଲେ ମୃଣାଳ ସେନ୍। ଆଜି ତାଙ୍କ ମୃତ୍ୟୁରେ ତାଙ୍କୁ ଚଳଚ୍ଚିତ୍ର, ସର୍ଜନଶୀଳ ଓ କଳ୍ପନାବିଳାସୀ ଲୋକେ ଝୁରୁଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ରକୁ ତାଙ୍କର ଏହି ଅବଦାନ ପାଇଁ ଝୁରି ହେଉଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ।
୧୯୬୭ରେ ଛାୟାବାଣୀ ପ୍ରତିଷ୍ଠାନ ନିବେଦିତ ବାବୁଲ୍ ଦୋଶିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ ମୃଣାଳ ସେନ୍। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ‘ମାଟିର ମଣିଷ’କୁ ସେ ସିନେମାରେ ରୂପାନ୍ତରିତ କରିଥିଲେ। ତେବେ ଉପନ୍ୟାସଠାରୁ ଚଳଚ୍ଚିତ୍ରର କଥାବସ୍ତୁ ସାମାନ୍ୟ ଭିନ୍ନ ଥିଲା। ଉପନ୍ୟାସରେ ‘ବର୍ଜୁ’ ମୁଖ୍ୟ ଚରିତ୍ର ଥିଲେ ହେଁ ଚଳଚ୍ଚିତ୍ରରେ ‘ଛକଡ଼ି’ ଚରିତ୍ରକୁ ଗୁରୁତ୍ବ ଦିଆଯାଇଥିଲା। ଉପନ୍ୟାସଟି ୧୯୩୨ ମସିହାରେ ଲେଖା ଯାଇଥିବାରୁ ଏଥିରେ ଦ୍ବିତୀୟ ବିଶ୍ବଯୁଦ୍ଧ କଥା ନରହିବା ସ୍ବାଭାବିକ।
ମାତ୍ର ଚଳଚ୍ଚିତ୍ରରେ ଛକଡ଼ି ଓ ବର୍ଜୁ ମଧ୍ୟରେ ବିଭେଦ ଦ୍ବିତୀୟ ବିଶ୍ବଯୁଦ୍ଧ ଯୋଗୁଁ ହୋଇଥିବା ଦେଖାଯାଇଥିଲା। ଉପନ୍ୟାସରେ ଗାନ୍ଧୀବାଦ ଚେତନା ଥିବା ବେଳେ ଚଳଚ୍ଚିତ୍ରରେ ମାର୍କ୍ସବାଦକୁ ଦେଖାଯାଇଥିଲା। ଫଳରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ପ୍ରତିବାଦ କରିଥିଲେ ଉପନ୍ୟାସର ରଚୟିତା ଶ୍ରୀ ପାଣିଗ୍ରାହୀ। ତେଣୁ ଚଳଚ୍ଚିତ୍ରର ପ୍ରଯୋଜକ ବାବୁଲାଲ ମୃଣାଳ ସେନ୍ଙ୍କୁ ଭେଟି ପରିବର୍ତନ ପାଇଁ କହିଥିଲେ। ମୃଣାଳ ସେନ୍ କିନ୍ତୁ ଅମଙ୍ଗ ହେଲେ। କହିଥିଲେ, ଯଦି ଚଳଚ୍ଚିତ୍ରରେ କିଛି ପରିବର୍ତନ କରାଯାଏ, ତେବେ ମୋ ନାଁ ରଖିବ ନାହିଁ। ସେୟା ହିଁ ହୋଇଥିଲା ମାଟିର ମଣିଷ ଦ୍ବିତୀୟଥର ପରିବର୍ତିତ ସଂସ୍କରଣ ଭାବେ ମୁକ୍ତିଲାଭ କଲା କିନ୍ତୁ ମୃଣାଳ ସେନ୍ଙ୍କ ନାଁ ରହିଲା ନାହିଁ। ମାତ୍ର ଏହି ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଦିଗ ବାରେଣୀ ସାଜିଲା। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଲା।