Mon. Dec 23rd, 2024

ଏଲ୍‌ଏସି ନେଇ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି: ରାଜନାଥ ସିଂହ

By amfnews Dec 30, 2020 #Featured
233 Views

ନୂଆଦିଲ୍ଲୀ, ଡିସେମ୍ବର ୩୦ : ଭାରତ ଓ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରି ନାହିଁ । ଆଗାମୀ ଦିନରେ ମିଲିଟାରୀ ସ୍ତରରେ ଆଲୋଚନା ହେବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମକୁ ଏହା କହିଛନ୍ତି । ସେ କହିଛନ୍ତି ଭାରତ ଓ ଚୀନ ମଧ୍ୟରେ ମିଲିଟାରୀ ସ୍ତରରେ ଆଲୋଚନା ଯେକୌଣସି ସମୟରେ ହୋଇପାରେ । କିନ୍ତୁ ଏପର୍ଯ୍ୟନ୍ତ ଏଲଏସିରେ ଜାରି ଥିବା ଉତ୍ତେଜନାରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ସମାନ ଅବସ୍ଥା ରହିଛି । 

ଚୀନ ଓ ପାକିସ୍ତାନ ସହିତ ସଂପର୍କ ନେଇ ରାଜନାଥ ସିଂହ କହିଛନ୍ତି ଆମେ ସମସ୍ତ ଦେଶ ସହିତ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ । ପାକିସ୍ତାନ ସୀମା ଉଲ୍ଲଂଘନ କରୁଛି । ବିନା କାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଆମର ସୈନିକ ନିଜକୁ ପ୍ରମାଣିତ କରିପାରିଛନ୍ତି ଯେ, ସେମାନେ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । 

ରାଜନାଥ ସିଂହ କହିଛନ୍ତି ଯେ, ଭାରତ ନିଜର ଆତ୍ମସମ୍ମାନକୁ ତଳେ ପକାଇପାରିବ ନାହିଁ । ଆମକୁ କେହି ଟାର୍ଗେଟ କରୁଥିଲେ, ଆମେ ନିରବ ରହିପାରିବାନି । ନିଜର ଗୌରବକୁ ନେଇ ଭାରତ କେବେବି ସାଲିସ କରିପାରିବ ନାହିଁ । ଚୀନ ନିଜର ସୀମାରେ ଅନେକ ଗୁଡ଼ିଏ ଭିତ୍ତିଭୂମିର ବିକାଶ କରିଛି । ଭାରତ ମଧ୍ୟ ଭିତ୍ତିଭୂମିକୁ ବିକାଶ କରିଛି । ସୀମାରେ ସୈନିକମାନେ ମୁତୟନ ଅଛନ୍ତି । ଆମେ କୌଣସି ଦେଶକୁ ଆକ୍ରମଣ କରିବା ପାଇଁ ଭିତ୍ତିଭୂମିର ବିକାଶ କରିନାହୁଁ । କିନ୍ତୁ ଆମ ଦେଶର ଲୋକଙ୍କର ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରିଛୁ । 

By amfnews

Related Post