Mon. Mar 17th, 2025

ଏନଆରସି ପ୍ରସଙ୍ଗରେ ନିରବତାକୁ ନେଇ ମମତାଙ୍କୁ ଘେରିଲେ କଂଗ୍ରେସ ଓ ବାମପନ୍ଥୀ

By amfnews Sep 19, 2019 #Featured
179 Views

ନୂଆଦିଲ୍ଲୀ : ପରସ୍ପରର ଘୋର ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପରସ୍ପରକୁ ଭେଟିଛନ୍ତି। ଏହି ଭେଟଘାଟର ସମୟକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ମମତାଙ୍କ ଘନିଷ୍ଠ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ କୋଲକାତାରେ ସିବିଆଇ ଡେରା ପକାଇଥିବାବେଳେ ଦିଲ୍ଲୀରେ ମମତା ମୋଦିଙ୍କୁ ଭେଟିଛନ୍ତି। କେହି କେହି ଏହି ଭେଟଘାଟ ପଛରେ ବଡ଼ ଡିଲ୍ ରହିଥାଇପାରେ ବୋଲି ଆଶଙ୍କା କରୁଛନ୍ତି। ଅନ୍ୟପଟେ ମମତା ମୋଦିଙ୍କୁ ଭେଟିବା ପରେ ଆଜି ଶାହଙ୍କୁ ଭେଟିବାକୁ ଯାଉଛନ୍ତି। ମମତାଙ୍କ ଏହି ଭେଟଘାଟ ନିଷ୍ପତ୍ତିକୁ ରାଜ୍ୟ ବିଜେପି ପ୍ରଶଂସା କରିଛି।

ହେଲେ ବିଜେପି ବିରୋଧରେ ମମତାଙ୍କ ସବୁ ପ୍ରସଙ୍ଗରେ ହଁ ମାରୁଥିବା ସହଯୋଗୀ କଂଗ୍ରେସ ଏବଂ ବାମ ଦଳ ଏପରି ଭେଟଘାଟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। କିଛି ଦିନ ତଳେ କେନ୍ଦ୍ର ସରକାର ଆସାମର ଏନଆରସି ତାଲିକା ପ୍ରକାଶ କରିଥିଲେ। ଏହାପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଏମିତିକି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ମଧ୍ୟ ତାଙ୍କ ରାଜ୍ୟରେ ଏନଆରସି ଲାଗୁ ହେବା ଦରକାର ବୋଲି କହିଥିଲେ। ଯାହାକୁ ମମତା ବିରୋଧ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟ ବେଳେ ଏନଆରସି ପ୍ରସଙ୍ଗରେ କାହିଁକି ତୃଣମୂଳ କଂଗ୍ରେସ ସୁପ୍ରିମୋ ନିରବ ରହିଲେ ସେ ନେଇ କଂଗ୍ରେସ ଏବଂ ବାମ ଦଳ ମମତାଙ୍କୁ ସମାଲୋଚନା କରିଛନ୍ତି।

ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରତିକ୍ରିୟା ଦେଇ କହିଛନ୍ତି ମମତା ମୋଦିଙ୍କୁ ଭେଟିବା ପଛର କାରଣ ରାଜ୍ୟରେ ସିବିଆଇକୁ ଅଟକାଇବା ପାଇଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମମତା ବାନାର୍ଜୀ ମୋଦିଙ୍କୁ ଭେଟି ରାଜ୍ୟର ନାମ ପଶ୍ଚିମବଙ୍ଗ ପରିବର୍ତ୍ତେ ବାଂଲା କରିବା ପାଇଁ ନିବେଦନ କରିଥିଲେ। ଏଥିସହ ରାଜ୍ୟ ପାଇଁ ଆବଶ୍ୟକ ଆର୍ଥିକ ସହଯୋଗ ବାବଦରେ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ମମତା ଆଜି ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ବେଳେ ରାଜ୍ୟର ନାମ ପରିବର୍ତ୍ତନ କଥା ଉଠାଇବେ ବୋଲି ଜଣାପଡ଼ିଛି।

By amfnews

Related Post