Fri. Mar 6th, 2026

ଏଡ୍‌ସ୍‌ ଆକ୍ରାନ୍ତ ମହିଳା ପାଣିକୁ ଡେଇଁ ଆତ୍ମହତ୍ୟା କରିବାରୁ ୩୬ ଏକରବିଶିଷ୍ଟ ଦ୍ରଦକୁ ଶୁଖାଉଛନ୍ତି ଗ୍ରାମବାସୀ

540 Views

ହୁବ୍‌ବାଲ୍ଲି, ଡିସେମ୍ବର ୦୫: ସପ୍ତାହେ ତଳେ ଜଣେ ଏଡ୍‌ସ୍‌ ରୋଗାକ୍ରାନ୍ତ ମହିଳା ହ୍ରଦକୁ ଡେଇଁ ଜୀବନ ହାରିବାରୁ କର୍ଣ୍ଣାଟକ ଅନ୍ତର୍ଗତ ହୁବ୍‌ବାଲ୍ଲି ଠାରୁ ପ୍ରାୟ ୩୦ କିଲୋମିଟର ଦୂର ମୋରାବ ଗାଁର ବାସିନ୍ଦାମାନେ ସେ ହ୍ରଦରୁ ପାଣି ପିଇବାକୁ ମନା କରିଦେଇଥିଲେ। ସେମାନଙ୍କୁ ବୁଝାଇବାରେ ବିଫଳ ହୋଇ କର୍ତ୍ତୃପକ୍ଷମାନେ ଅଗତ୍ୟା ୩୬ ଏକର ବିଶିଷ୍ଟ ସେ ହ୍ରଦରୁ (ପ୍ରାୟ ୨୫ଟି ଫୁଟ୍‌ବଲ୍‌ ପଡ଼ିଆ ଆକାରର) ଜଳ ନିଷ୍କାସନ କରୁଛନ୍ତି। ଏହା ପରେ ସେମାନେ ମାଲାପ୍ରଭା କେନାଲୁ ପାଣି ଆଣି ସେଥିରେ ଭରିବେ। ନବଲଗୁଣ୍ଡ ତାଲୁକରେ ମୋରବ ହ୍ରଦ ହେଉଛି ସର୍ବବୃହତ୍‌ ଏବଂ ଗ୍ରାମବାସୀ ଓ ଗୋରୁଗାଈଙ୍କ ନିମନ୍ତେ ପାନୀୟ ଜଳର ଏକମାତ୍ର ଉତ୍ସ। ଏବେ ଗ୍ରାମବାସୀମାନେ ପାଣି ପାଇଁ ୨-୩ କିଲୋମିଟର୍‌ ଦୂର ମାଲାପ୍ରଭା କେନାଲକୁ ଯାଉଛନ୍ତି।

ଧର୍‌ଓ୍ଵାଦ୍‌ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ଦୋଦ୍ଦାମଣି କହନ୍ତି: ଦୁଃଖର ବିଷୟ। ଛାନିଆ ହୁଅ ନାହିଁ, ଏଚ୍‌ଆଇଭି ପାଣି ଯୋଗେ ବ୍ୟାପେ ନାହିଁ ବୋଲି ଆମେ ଲୋକଙ୍କୁ ବୁଝଉଛୁ। କିନ୍ତୁ ଲୋକେ ତାହା ନ ବୁଝି ହ୍ରଦରୁ ଲୋକେ ପାଣି ନିଷ୍କାସନ କରାଉଛନ୍ତି। ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍‌ସି ଭାଇରସ୍‌ (ଏଚ୍‌ଆଇଭି) କେବଳ ଶରୀରରୁ କ୍ଷରିତ ତରଳ ପଦାର୍ଥରେ ବ୍ୟାପୀ ଥାଏ। ମଣିଷ ଶରୀର ବାହାରେ ପାଣି କି, ପବନରେ ଏହି ଭୂତାଣୁ ମିନିଟିଏ ବଞ୍ଚି ପାରେ ନାହିଁ।

ନଭେମ୍ବର ୨୯ ତାରିଖ ଦିନ ସେ ମହିଳାଙ୍କ ଶବ ହଦ୍ରରୁ ମିଳିଥିଲା। ପାଣି ସଂକ୍ରମିତ ହୋଇ ଯାଇଛି ବୋଲି ପ୍ରଚାର ହୋଇଯିବା ପରେ ଲୋକେ ଛାନିଆ ହୋଇଯାଇଥିଲେ। ଗାଁ ଲୋକେ ସେ ପାଣି ପିଇବାକୁ ମନା କରି ଦେଇ ଗ୍ରାମ ପଞ୍ଚାୟତ ଏବଂ ନବଲଗୁଣ୍ଡ ତାଲୁକ ଉପରେ ଚାପ ପକାଇଲେ ହ୍ରଦ ଶୁଖାଇ ଦେବା ପାଇଁ। ଅବୁଝା ଗ୍ରାମବାସୀଙ୍କ ଚାପରେ ଏବେ କର୍ତ୍ତୃପକ୍ଷମାନେ ୪ଟି ମଟର ପମ୍ପ୍‌ ଏବଂ ୨୦ଟି ସାଇଫନ୍‌ ପାଇପ୍‌ ଯୋଗେ ହ୍ରଦରୁ ପାଣି ନିଷ୍କାସନ କରୁଛନ୍ତି।

By amfnews

Related Post