Sun. Mar 8th, 2026

ଆସିଲା କୁନ୍ଦୁଲି ମାମଲାର ତଦନ୍ତ ରିପୋର୍ଟ, ପୀଡ଼ିତାଙ୍କ ପରିବାରର ଭୂମିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ!

266 Views

ଭୁବନେଶ୍ୱର : ବହୁତର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଘଟଣା ଏବେ ସୁଦ୍ଧା ଏକ ରହସ୍ୟ ହୋଇ ରହିଛି ଏବଂ ଅଧିକ ତଦନ୍ତ ହେଲେ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ଏହି ମାମଲାର ରିପୋର୍ଟରେ କୁହାଯାଇଥିବା ପ୍ରକାଶ।

ରିପୋର୍ଟରେ ପୀଡ଼ିତାଙ୍କ ପରିବାରର ଭୂମିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ପରିବାର ଲୋକେ ତଦନ୍ତରେ ସହଯୋଗ କରୁନଥିବା ରିପୋର୍ଟରେ ଦର୍ଶାଯିବା ସହ ତଦନ୍ତରେ ସହଯୋଗ କରିବା ବଦଳରେ ବିଭିନ୍ନ ପ୍ରକାର ଅଭିଯୋଗ ଅଣାଯାଇଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ଏମିତିକି ଚିକିତ୍ସା ସରିବା ପୂର୍ବରୁ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିବାକୁ ପଡ଼ିଥିଲା। ପରିବାର ଓ ରାଜନୀତିକ ବ୍ୟକ୍ତିଙ୍କ ଧାରଣା ଯୋଗୁ ଏଭଳି ତରବରିଆ ଭାବେ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ ତଦନ୍ତ କମିଶନ ୩ଟି ସୁପାରିସ କରିଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ ପୀଡ଼ିତାର ପରିଚୟ ଗୋପନ ରଖାଯାଉ। ତଦନ୍ତ ନସରିବା ଯାଏ ଗଣମାଧ୍ୟମକୁ ଅଗ୍ରଗତି ସଂପର୍କରେ ଜଣାନ୍ତୁ ନାହିଁ। ତା ଛଡ଼ା, କୁନ୍ଦୁଲି ଛକରେ ଥିବା ପୀଡ଼ିତାଙ୍କ ପ୍ରତିମୂର୍ତ୍ତିକୁ ହଟାଇବାର ବ୍ୟବସ୍ଥା କରାଯାଉ ବୋଲି ତଦନ୍ତ କମିଶନ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଥିବା ଆକ୍ସନ ଟେକେନ ରିପୋର୍ଟରେ କମିଶନଙ୍କ ୨ଟି ସୁପାରିସକୁ ଗ୍ରହଣ କରିଥିବା ବେଳେ କୁନ୍ଦୁଲି ଛକରୁ ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ନବମ ଶ୍ରେଣୀରେ ପଢୁଥିବା ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ଦୁଷ୍କର୍ମ କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରକାଶ କରାଯାଇଥିଲା। ଶେଷରେ ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ପୀଡ଼ିତା ନ୍ୟାୟ ଭିକ୍ଷା କରି ଶେଷରେ ଆତ୍ମହତ୍ୟାର ରାସ୍ତା ବାଛିଥିଲେ।

By amfnews

Related Post