Sun. Mar 8th, 2026

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ୬ ମୃତ

167 Views

ନୂଆଦିଲ୍ଲୀ : ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲ୍ଲାରୁ ୨୧ଟି  ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ  ପ୍ରବାହିତ ହେଉଛି। ତେବେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗିନ କରି ଦେଇଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ  ସ୍ଥାନରେ ମାଟି ଅତଡ଼ା  ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ରାଜ୍ୟରେ ଚଳିତ ବନ୍ୟାରେ ମୃତ୍ୟୁ ସଂଖା ୬ରେ ପହଞ୍ଛିଛି।

ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅନୁଯାୟୀ, ଏବେ ୧ ହଜାର ୫୫୬ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ପ୍ରାୟ ୮ ଲକ୍ଷ ୭୦ ହଜାର ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଦେହମାଜି, ଜୋରହାଟ, ବିଶ୍ୱନାଥ, ଲକ୍ଷ୍ମୀପୁର ଓ ଗୋଲାଘାଟ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏବେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି। ପ୍ରୟାଗରାଜର ସଙ୍ଗମ ଘାଟରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଫଳରେ ନଦୀ କୂଳରେ ବସବାସ କରିଥିବା ଲୋକଙ୍କ ଧନଜୀବନ ଉପରେ ପ୍ରଭାବ ପଡିଛି। ସଙ୍ଗମ କୂଳରେ ଥିବା ବହୁ ଲୋକଙ୍କ ଘର ଜଳମଗ୍ନ ହୋଇଛି। ସେଠାକାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

By amfnews

Related Post