Tue. May 13th, 2025

ଆର୍‌ଏସ୍‌ପି କର୍ମଚାରୀକୁ ଗୁଳି ମାରିବା ଘଟଣା:ଗୁଳି କରିଥିଲେ ୫୦ ହଜାର ପାଇଁ

By amfnews Dec 31, 2018 #Featured
170 Views

ରାଉରକେଲା, ଡିସେମ୍ବର ୩୧ : ଆର୍‌ଏସ୍‌ପି କର୍ମଚାରୀ ନୃସିଂହ ସାହୁ ଓରଫ୍‌ କୈଳାଶ ହତ୍ୟା କାଣ୍ଡ ପଛର ରହସ୍ୟ କ୍ରମଶଃ ଫିଟିବାରେ ଲାଗିଛି। ୫୦ ହଜାର ଟଙ୍କା ଆଦାୟକୁ ନେଇ ଜଣେ ଯୁବକ ତା’ର ବନ୍ଧୁ ସହ ଗୁଳି କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏମିତିକି ପରିବାର ସଦସ୍ୟ ପୁଲିସକୁ ମଧ୍ୟ ଦୁଇ ଅଭିଯୁକ୍ତଙ୍କ ନାଁ ସ୍ପଷ୍ଟଭାବେ କହିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇନି। ଅପରପକ୍ଷରେ ଆଜି ନୃସିଂହଙ୍କ ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ସୂଚନା ଅନୁସାରେ, ସେକ୍ଟର-୭, ଏ’ ବ୍ଲକ ଅଂଚଳରେ ଥିବା ଆର୍‌ଏସ୍‌ପି କ୍ବାର୍ଟର୍‌କୁ ସଂପୃକ୍ତ ଘର ମାଲିକ ସେକ୍ଟର-୭ରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଲିଜ୍‌ରେ ଦେଇଥିଲେ। କିଛି ଦିନ ପରେ ଘର ଲିଜ୍‌ଧାରୀ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଏନେଇ କିନ୍ତୁ ଘର ମାଲିକ ଅବଗତ ନ ଥିଲେ। ଘର ବିକ୍ରି ଘଟଣାରେ ଜାଣିବାପରେ ଘର ମାଲିକ ଏନେଇ ଲିଜ୍‌ଧାରୀଙ୍କୁ କହିବାରୁ ସେ ଘର ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଲିଜ୍‌ଧାରୀ ଘର ବିକିଥିବା ବ୍ୟକ୍ତିଙ୍କୁ ଏ ବିଷୟରେ କହିବାପରେ ସେ ଟଙ୍କା ଫେରାଇବାକୁ କହିଥିଲେ। କିଛି ଦିନ ପରେ ଲିଜ୍‌ଧାରୀ କିଛି ଟଙ୍କା ଫେରାଇବାପରେ ବାକିତକ ଟଙ୍କା ପରବର୍ତ୍ତୀ ସମୟରେ ଦେବାକୁ କହିଥିଲେ।

ଏତିକିବେଳେ ଲିଜ୍‌ଧାରୀ ବ୍ୟକ୍ତିଙ୍କ ସଂପର୍କୀୟ ‌ନୃସିଂହ ଘର କିଣିଥିବା ବ୍ୟକ୍ତିଙ୍କଠାରୁ କୁଆଡ଼େ ୫୦ ହଜାର ଟଙ୍କା ନେଇ ଉକ୍ତ ଘରକୁ ପୁନର୍ବାର ତାଙ୍କ ନାଁରେ କରିବାକୁ କହିଥିଲେ। କିନ୍ତୁ ପ୍ରକୃତ ଘରମାଲିକ କୌଣସି ପରିସ୍ଥିତିରେ ଘର ବିକ୍ରି କରିବାକୁ ମନା କରିବାରୁ ଘର କିଣିଥିବା ବ୍ୟକ୍ତି ୫୦ ହଜାର ଟଙ୍କା ନେବାକୁ ନୃସିଂହ ଉପରେ ଚାପ ପକାଇଥିଲେ। ଆଜିକାଲି କହି ନୃସିଂହ କୁଆଡ଼େ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହୋଇଥିଲା। ଘଟଣାର ଦୁଇ ଦିନ ପୂର୍ବେ ଘର କିଣିଥିବା ବ୍ୟକ୍ତିର ପୁଅ ନୃସିଂହଙ୍କ ଘରକୁ ଆସି ପୁଣି ପାଟିତୁଣ୍ଡ କରିବା ସହ ଜୀବନରୁ ମାରିଦେବାକୁ ଧମକଚମକ ଦେଇଥିଲେ। ଘଟଣା ଦିନ, ଉକ୍ତ ଯୁବକ (ଘର କିଣିଥିବା ବ୍ୟକ୍ତିର ପୁଅ) ତା’ର ଜଣେ ବନ୍ଧୁଙ୍କ ସହ ଘରେ ପଶି ଗୁଳି କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।

By amfnews

Related Post