Fri. Nov 22nd, 2024

ଆର୍ଏସ୍ପି ଅଧିନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ବୈଠକରେ ନିଷ୍ପତ୍ତି: ଆସନ୍ତାକାଲିର ବିକ୍ଷୋଭରେ ଦାବିପତ୍ର ଉପସ୍ଥାପନ ଓ ଦାବିପତ୍ର ଉପରେ ଦିନିକିଆ ଧର୍ମଘଟ ଅଗଷ୍ଟ ୨୨ରେ

rklsanchar@gmail.com' By J.N. Pradhan Jul 31, 2018 #Featured
232 Views

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଅଧିନରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଠିକା ଶ୍ରମିକ ଆସନ୍ତା ଅଗଷ୍ଟ ୨୨ ତାରିଖ ଦିନ ଦିନିକିଆ ଧର୍ମଘଟ କରିବାକୁ ଆଜି ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ) ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୟୁନିୟନ ସଭାପତି ତଥା ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରି କହିଲେ, ଦରଦାମ୍ ଆକାଶଛୁଆଁ ଭାବରେ ବୃଦ୍ଧି ପାଉଥିଲେ ମଧ୍ୟ ସେହି ଅନୁପାତରେ ଠିକା ଶ୍ରମିକମାନଙ୍କ ବେତନ ବୃଦ୍ଧି ହେଉନାହିଁ ।

ସମାନ କାମକୁ ସମାନ ମଜୁରୀ, ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ଠିକା ଶ୍ରମିକମାନଙ୍କର ବନ୍ଦ ହୋଇଥିବା ଭିଡିଏ ଲାଗୁ କରିବା ଓ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ଠିକା ଶ୍ରମିକମାନଙ୍କୁ ଏକଜୁଟ୍ କରି ଆନ୍ଦୋଳନ ଗଢି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ । କେନ୍ଦ୍ରର ମୋଦି ସରକାର ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ସମଗ୍ର ଦେଶରେ ସିଆଇଟିୟୁ ଲଗାତର ଭାବରେ ଆନ୍ଦୋଳନ କାର୍ଯ୍ୟକ୍ରମ ସଙ୍ଗଠିତ କରୁଥିବା ବେଳେ ଆସନ୍ତା ଅଗଷ୍ଟ ୯ ତାରିଖରେ ଭାରତ ଛାଡ ଆନ୍ଦୋଳନର ସ୍ମାରକୀ ଦିବସରେ କୃଷକ-ଶ୍ରମିକମାନଙ୍କ ଜେଲ୍ଭରୋ ଆନ୍ଦୋଳନ ସଙ୍ଗଠିତ ହେବ ।

ଅଗଷ୍ଟ ୧୪ରେ ଦେଶ ସ୍ୱାଧୀନତାର ଅବ୍ୟବହିତ ଦିବସରେ ବିଭିନ୍ନ ସ୍ଥାନରେ ମୋଦି ସରକାରଙ୍କ ଜନବିରୋଧି ତଥା ଶ୍ରମିକ-କୃଷକ ନୀତି ବିରୁଦ୍ଧରେ ଅହୋରାତ୍ର ଧାରଣା ଓ ଉଜାଗର କାର୍ଯ୍ୟକ୍ରମକୁ ସଫଳ କରିବା ସହ ସେପ୍ଟେମ୍ବର ୫ ତାରିଖ ଦିନ ଦିଲ୍ଲୀ ଠାରେ ହେବାକୁ ଥିବା ମଜଦୁର-କିସାନ ସଂଘର୍ଷ ସମାବେଶରେ ଓଡିଶାରୁ ଲକ୍ଷ ଲକ୍ଷ ଶ୍ରମିକ, କୃଷକ ସାମିଲ୍ ହେବାକୁ ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ । ବୈଠକରେ ୟୁନିୟନ ସାଧାରଣ ସମ୍ପାଦକ ବିମାନ ମାଇତି ଠିକା ଶ୍ରମିକମାନଙ୍କ ବିଭିନ୍ନ ଦାବିକୁ ନେଇ ଏକ ଦାବିପତ୍ର ଆସନ୍ତାକାଲି ସକାଳ ୮ଟାରୁ ବିଶ୍ରା ଛକଠାରେ ଏକ ଘଣ୍ଟିକିଆ ବିକ୍ଷୋଭ କରି କାରଖାନା କର୍ତ୍ତୃପକ୍ଷକୁ ପ୍ରଦାନ କରିବା ସହ କାରଖାନା କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ ନ କଲେ ଆସନ୍ତା ଅଗଷ୍ଟ ୨୨ ତାରିଖ ଦିନ କାରଖାନା ଅଧିନରେ କାମ କରୁଥିବା ୧୦ ହଜାରରୁ ଊଦ୍ଧ୍ୱର୍ ଠିକା ଶ୍ରମିକ ଦିନିକିଆ ଧର୍ମଘଟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀମନ୍ତ ବେହେରା, ଅଜୟ ଶର୍ମା, ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଅରୁ ଦାସ, ପ୍ରଭାତ ମହାନ୍ତି, ଲକ୍ଷ୍ମୀଧର ନାୟକ, ବିନୟ ବେଉରିଆ, ବିଶ୍ୱଜିତ ମାଝି, ଜଗନ୍ନାଥ ନାୟକ, କବି ପ୍ରଧାନ, ଶେଖର ଶର୍ମା ପ୍ରମୁଖ ଠିକା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିରେ ଆର୍ଏସ୍ପି ଆଧୁନିକୀକରଣ, ୱାର୍କର୍ସ ଓ ଟାଉନସିପ ଅଞ୍ଚଳରୁ ଶତାଧିକ କାର୍ଯ୍ୟରତ ଠିକା ଶ୍ରମିକ ସାମିଲ୍ ହୋଇ ସେମାନଙ୍କ ବିଭିନ୍ନ ସମସ୍ୟାମାନ ଉପସ୍ଥାପନ କରିଥିଲେ ।

Related Post