Sat. Mar 7th, 2026

ଆମେରିକା ଆକ୍ରମଣର ପ୍ରଭାବ: ତେଲ ଦରରେ ନିଆଁ, ବଢ଼ିବ ଭାରତର ସମସ୍ୟା

211 Views

ସିଙ୍ଗାପୁର: ଆମେରିକାର ଆକ୍ରମଣ ଖବର ପ୍ରଚାରିତ ହେବା ପରେ ଅଶୋଧିତ ତେଲ ଦରରେ ନିଆଁ ଲାଗିଯାଇଛି। ଆଜି ଦିନକ ଭିତରେ ଏହାର ଦାମ୍ ୩ ଡଲାର ବଢ଼ି ୬୯.୧୬ ଡଲାର ହୋଇଯାଇଛି। ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଭାରତ ଭଳି ଦେଶ ପାଇଁ ଏହି ଖବର ବଡ଼ ଝଟ୍‌କା ସଦୃଶ ହୋଇଛି। ଶେଷ ଥର ଲାଗି ୨୦୧୯ ଡିସେମ୍ବର ୧୭ରେ ଅଶୋଧିତ ତେଲ ଦରକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ଭାରତରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ଏବେ ୭୪ ଟଙ୍କାରୁ ଅଧିକ ଓ ଡିଜେଲ୍‌ ୭୩ ଟଙ୍କାରୁ ଅଧିକ ସ୍ତରରେ ରହିଛି। ଅଶୋଧିତ ତେଲ ମହଙ୍ଗା ହେଲେ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ ଆହୁରି ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। କାରଣ ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ତେଲର ଦର ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିଦିନ ପେଟ୍ରୋଲ୍‌ ଓ ଡିଜେଲ୍ ଦରରେ ପରିବର୍ତ୍ତନ କରୁଛନ୍ତି। ତୈଳ ବଜାରରେ ଆଗାମୀ ଦିନରେ ଦେଖାଦେବାକୁ ଥିବା ସ୍ଥିତିକୁ ଆକଳନ କରି ’ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ ପ୍ଲାଟ୍‌’ର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବଜାରରେ ଏବେବି ଚାହିଦା ତୁଳନାରେ ତେଲ ଯୋଗାଣ ଅଧିକ ରହିଛି। କିନ୍ତୁ, ଯଦି ହର୍‌ମୁଜ୍ ପ୍ରଣାଳୀକୁ ଇରାନ ବନ୍ଦ କରିବାକୁ ନିଷ୍ପତ୍ତି ନେବ ତେବେ ବିଶ୍ବ ତୈଳ ଯୋଗାଣ ୨୦% ପ୍ରଭାବିତ ହେବ। ଏହା ତେଲ ଦରକୁ ଆକାଶଛୁଆଁ ସ୍ତରରେ ପହଞ୍ଚାଇ ଦେବ। ହମରୁଜ୍ ପ୍ରଣାଳୀ ହେଉଛି ସମଗ୍ର ବିଶ୍ବର ବାଣିଜ୍ୟ କାରବାର ଲାଗି ଏକ ପ୍ରମୁଖ ଜଳପଥ। ହମ୍‌ରୁଜ୍ ପ୍ରଣାଳୀ ଦେଇ ବିଶ୍ବର ୨୧% ତେଲ ପରିବହନ କରାଯାଇଥାଏ। ସାଉଦି, ଇରାକ, କୁଏତ, ଇରାନ, ୟୁଏଇ ଓ କତାର ତେଲ ଜାହଜଗୁଡ଼ିକ ଏହି ଅଣ ଓସାରିଆ ପ୍ରଣାଳୀ ଦେଇ ଆଗକୁ ବଢ଼ିଥାଏ।

ଭାରତର ସମସ୍ୟା ବଢ଼ିବ

ନୂଆଦିଲ୍ଲୀ: ଭାରତ ନିଜର ୮୪% ତେଲ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ଏହା ସର୍ବାଧିକ ତେଲ ଇରାକ ଓ ସାଉଦି ଆରବ ଠାରୁ କିଣୁଛି। କାରଣ ଭୌଗଳିକ ସ୍ଥିତି ଦୃଷ୍ଟିରୁ ଏହି ଦୁଇ ଦେଶରୁ ତେଲ କିଣିବା ଭାରତ ପାଇଁ ଅପେକ୍ଷାକୃତ ଶସ୍ତା ରହୁଛି। କିଛି ମାସ ପୂର୍ବରୁ ଇରାନରୁ ଏହା ଦ୍ବିତୀୟ ସର୍ବାଧିକ ତେଲ ମଗାଉଥିଲା। ମାତ୍ର ଆମେରିକା ସରକାର କଟକଣା ଜାରି କରିବା ପରେ ଇରାନରୁ ତେଲ ଆମଦାନି ବହୁତ କମିଯାଇଛି। ଏହି ତିନି ରାଷ୍ଟ୍ର ବ୍ୟତୀତ ଆମେରିକାରୁ ମଧ୍ୟ ତେଲ କିଣାହେଉଛି। ତାହାର ଦାମ୍ କିନ୍ତୁ ଅଧିକ ରହୁଛି। ଆନ୍ତର୍ଜାତିକ ବଜାରରେ ତେଲ କିଣିବା ଲାଗି ଡଲାରରେ ପେମେଣ୍ଟ୍‌ କରିବାକୁ ପଡ଼ୁଛି। ଭାରତରେ ଏକ ଆମେରିକୀୟ ଡଲାରର ମୂଲ୍ୟ ୭୦-୭୧ ଟଙ୍କା ସ୍ତରରେ ରହୁଛି। ତେଲ ଦାମ୍ ବଢ଼ିବାର ଅର୍ଥ ହେଉଛି ଭାରତକୁ ଅଧିକ ଡଲାର କିଣିବାକୁ ପଡ଼ିବ। ଏହା ଦେଶର ଚଳନ୍ତୀ ଜମା ନିଅଣ୍ଟ (ସିଏଡି)କୁ ବିଗାଡ଼ି ଦେବ। ସରକାରଙ୍କ ବଜେଟ୍‌କୁ ଏପଟ ସେପଟ କରିଦେବ। ଡଲାର ଚାହିଦା ବଢ଼ିଲେ ଟଙ୍କାର ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼ିବ। ତେଲ ଦାମ୍ ବଢ଼ିଲେ ମୁଦ୍ରାସ୍ଫୀତି ବଢ଼ିବ। ମୁଦ୍ରାସ୍ଫୀତି ବଢ଼ିଲେ ରିଜର୍ଭ ବ୍ୟାଙ୍କ ଉପରେ ଚାପ ବଢ଼ିବ। ଏହା ସୁଧ ହାର କମ୍ କରିବ ନାହିଁ। ଫଳରେ କମ୍ ସୁଧରେ ଋଣ ମିଳିବ ନାହିଁ। ଏହା ଏକ ଏଭଳି ଚକ୍ର ଯାହା ଦେଶର ଅର୍ଥନୀତିକୁ ପ୍ରତିଟି ସ୍ତରରେ ପ୍ରଭାବିତ କରିବ। ଆମଦାନିରେ ଅଧିକ ଖର୍ଚ୍ଚ ହେଲେ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକରେ ଖର୍ଚ୍ଚ କମିଯିବ।

By amfnews

Related Post