କୋରାପୁଟ , ଜାନୁଆରୀ ୬ : କୋଟିଆରେ ଚାଲିଛି ଆନ୍ଧ୍ରର ‘ଜନ୍ମଭୂମି’ କାର୍ଯ୍ୟକ୍ରମ। ଆନ୍ଧ୍ର ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିବାଦୀୟ କୋଟିଆବାସୀଙ୍କ ସହ ସଂପର୍କ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଆନ୍ଧ୍ର ଅଧିକାରୀ କୋଟିଆର ଗାଁ ଗାଁ ବୁଲି ଲୋକଙ୍କୁ ସରକାରୀ ଯୋଜନା ସଂପର୍କରେ ବୁଝାଇବା ସହ ସହାୟତା ବାଣ୍ଟୁଛନ୍ତି। ପଡୋଶୀ ରାଜ୍ୟର ଏମିତି ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ େଚଇଁ ଉଠିଛି କୋରାପୁଟ ଜିଲ୍ଲା ପ୍ରଶାସନ। କାଳିଆ ଓ ପିଠା ଯୋଜନା ଜରିଆରେ ଲୋକଙ୍କ ମନ କିଣିବାକୁ ଉଦ୍ୟମ ଆରମ୍ଭ କରିଛି।
କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡା ଗ୍ରାମକୁ ନେଇ ଦୀର୍ଘ ଦିନ ହେଲା ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ଏହି ବିବାଦୀୟ ଗାଁ ଗୁଡିକୁ ନିଜର ବୋଲି ଦାବି କରୁଥିଲା ବେଳେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଏହି ଗାଁ ଗୁଡିକ କବ୍ଜା କରିବାକୁ ପାଖାପାଖି ମାସେ ହେଲା ଆନ୍ଧ୍ର ଜୋରଦାର ଚେଷ୍ଟା ଚଳାଇଛି। ଆନ୍ଧ୍ରର ଅଧିକାରୀମାନେ କୋଟିଆ ପଞ୍ଚାୟତର ଏହି ବିବାଦୀୟ ଗାଁ ଗୁଡିକରେ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରୁଛନ୍ତି। ପୁଣି ଚଳିତମାସ ପ୍ରଥମ ସପ୍ତାହରୁ ଆନ୍ଧ୍ର ସରକାର ‘ଜନ୍ମଭୂମି’ କାର୍ଯ୍ୟକ୍ରମ ମାଧ୍ୟମରେ ବିବାଦୀୟ କୋଟିଆବାସୀଙ୍କ ସହ ସଂପର୍କ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଗାଁ ଗାଁ ବୁଲି ଭତ୍ତା, କମ୍ବଳ ବାଣ୍ଟିବା ସହ ଶିଶୁଙ୍କୁ ଛତୁଆ, ଅଣ୍ଡା ଓ କ୍ଷୀର ଦେଉଛନ୍ତି। ତେଣୁ ଲୋକମାନେ ଆନ୍ଧ୍ର ପ୍ରତି ଆକର୍ଷିତ ହେଉଛନ୍ତି। ଆନ୍ଧ୍ରର ଏମିତି ‘ଜନ୍ମଭୂମି’ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ନୂଆ ଫନ୍ଦି ବାହାର କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ବିବାଦୀୟ ଅଂଚଳରେ କାଳିଆ ଓ ପିଠା ଯୋଜନା ଆରମ୍ଭ କରାଯାଇଛି।
କୋଟିଆ ପଞ୍ଚାୟତ ନାରେଡିବାଲସାରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଛି। ଅଂଚଳବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଔଷଧ ପ୍ରଦାନ କରାଯାଇଛି। ଏହା ସହିତ ଗ୍ରାମ୍ୟ ନିର୍ମାଣ, ଯୋଗାଣ ବିଭାଗ, ଆଇସିଡିଏସର ଅଧିକାରୀମାନେ ଆଜି କୋଟିଆ ପଞ୍ଚାୟତକୁ ଯାଇ ସ୍ଥିତି ପରଖିଛନ୍ତି।