Sun. Mar 8th, 2026

ଆଉ ୨୪ ଘଣ୍ଟା କୋହଲା ପାଗ

321 Views

ଭୁବନେଶ୍ବର, ଜାନୁଆରୀ୨୮ : ପଶ୍ଚିମ ଓଡ଼ିଶାରେ ହାଲକା ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼, ସୋନପୁରର କେତେକ ସ୍ଥାନରେ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୮ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ହାଲକା ‌ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ସମେତ ଦକ୍ଷିଣ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହାବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିବ।

ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିବ। ଦିନରେ ସୂର୍ଯ୍ୟଙ୍କ ଉତ୍ତାପ କମ୍‌ ରହିବା ହେତୁ ଥଣ୍ଡା ଅନୁଭୂତ ହେବ। କେନ୍ଦୁଝର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକା କୁହୁଡ଼ି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି କେନ୍ଦ୍ର କହିଛି ଯେ ଆସନ୍ତା ୨୯ ତାରିଖଠାରୁ ଓଡ଼ିଶାକୁ ଶୀତ ଫେରିବ। ତାପମାତ୍ରା ପୁଣିଥରେ ଖସିବ। ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସି ଆସିବ। ଫୁଲବାଣୀ, ଅନୁଗୁଳ, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ ଜିଲ୍ଲା ଥଣ୍ଡାର ପ୍ରଭାବ ଅଧିକ ରହିବ। ଗୋଟିଏ ଦୁଇଟି ସହରକୁ ଛାଡ଼ି ଦେଲେ ଆଜି ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଭିତରେ ଓ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ୧୦ ଡିଗ୍ରି ରହିଥିଲା।

By amfnews

Related Post