Wed. Jun 18th, 2025

ଆଉ ଜଣେ ଖଣି ମାଫିଆ ଗିରଫ, କାର୍‌ ଜବତ

By amfnews Jul 9, 2019 #Featured
130 Views

ଭୁବନେଶ୍ବର  : କ୍ରାଇମ ବ୍ରାଞ୍ଚର ଏସ୍‌ଟିଏଫ ଆଜି ଆଉ ଜଣେ ଖଣି ମାଫିଆକୁ ଗିରଫ କରିଛି। ତା ନାଁ ନିତୁ ମାନସିଂ। ଘର ଖୋର୍ଧା ସଦର ଥାନା ଅଧୀନ ଦଳେଇପୁଟରେ। କ୍ରାଇମ ବ୍ରାଞ୍ଚ ତା’ ନିକଟରୁ ଏକ ଦାମୀ କାର୍‌ ଜବତ କରିଛି। ନିତୁ ନାଁରେ ଖୋର୍ଧା ଥାନାରେ ବୋମା ଓ ଗୁଳିମାଡ଼ ଭଳି ମାମଲା ରହିଥିବା ବେଳେ ସେ ପୁଲିସ ମୋଷ୍ଟ ୱାଣ୍ଟେ‌ଡ ତାଲିକାରେ ଥିଲା। ଦୀର୍ଘ ଦିନ ହେବ ପୁଲିସ ତାକୁ ଖୋଜୁଥିଲେ ମଧ୍ୟ ପାଉ ନ ଥିଲା। ଏ ନେଇ କ୍ରାଇମ ବ୍ରାଞ୍ଚରେ ମାମଲା ରୁଜୁ ହେବା ପରେ ତାକୁ ଗିରଫ କରିବାକୁ ଏସ୍‌ଟିଏଫ ଇନ୍ସପେକ୍ଟର ଆଲୋକ ଜେନା ମାସକ ତଳୁ ଜାଲ ବିଛାଇଥିଲେ। ଆଜି ସେ ଏସ୍‌ଟିଏଫ ହାବୁଡ଼ରେ ପଡ଼ିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ଏସ୍‌ଟିଏଫ ଇନ୍ସପେକ୍ଟର ଶ୍ରୀ ଜେନାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନିତୁ ଖୋର୍ଧାର ପ୍ରକାଶ ରାଉତରାୟଙ୍କ ଘର ଉପରକୁ ବୋମାମାଡ଼ ଓ ଟୁଟୁ ବଳିୟାରସିଂଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଏନେଇ ବର୍ଷକ ତଳେ ନିତୁ ନାଁରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିପରି ତା ନାଁରେ ୬ଟି ଭିନ୍ନ ଭିନ୍ନ ମାମଲା ମଧ୍ୟ ଥିଲା। ଖୋର୍ଧା ଅଞ୍ଚଳରେ ବୁଲାବୁଲି କରୁଥିଲେ ମଧ୍ୟ ପୁଲିସ ତାକୁ ଗିରଫ କରୁ ନ ଥିଲା। ଏହାର ଫାଇଦା ଉଠାଇ ସେ ଖୋର୍ଧା ଅଞ୍ଚଳରେ ଖଣି ଓ ମୋରମ ଚାଲାଣ କରିବା ସହିତ ବଟି ଆଦାୟ କରୁଥିଲା। କ୍ରାଇମ ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିବା ପରେ ନିତୁକୁ ଗିରଫ କରିବାକୁ ଯୋଜନା ହୋଇଥିଲା। ସେ ଆଜି ବୋଲଗଡ଼ ଅଞ୍ଚଳରେ ଥିବା ସୂଚନା ମିଳିଥିଲା। କ୍ରାଇମ ବ୍ରାଞ୍ଚ ସେଠାରେ ଚଢ଼ଉ କରିବାବେଳେ ନିତୁକୁ ଗିରଫ କରାଯାଇଥିଲା। କିନ୍ତୁର ଭାଇ ଜିତୁ ମାନସିଂ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ବୋଲି ଇନ୍ସପେକ୍ଟର ଶ୍ରୀ ଜେନା କହିଛନ୍ତି।

By amfnews

Related Post