Sun. Mar 8th, 2026

ଆଉ କିଏ ଦଳ ନଛାଡ଼ି ଅଛନ୍ତି? ନେତା ଗଣିବ କଂଗ୍ରେସ!

245 Views

ନୂଆଦିଲ୍ଲୀ: ୨୦୧୪ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ଓ ଅନ୍ୟ ଦଳଗୁଡ଼ିକୁ କଂଗ୍ରେସ ନେତାଙ୍କ ସୁଅ ଛୁଟୁଛି। ଇତିମଧ୍ୟରେ ଅନେକ କଂଗ୍ରେସ ନେତା ଦଳ ଛାଡ଼ି ନିଜର ରାଜନୀତିକ ଭବିଷ୍ୟତ ପାଇଁ ଅନ୍ୟ ଦଳରେ ଯୋଗଦେଇ ସାରିଛନ୍ତି। ଏମାନେ ଯିବା ପରେ ଦଳରେ ଆଉ କିଏ ଲୋକପ୍ରିୟ ନେତା ଅଛନ୍ତି କି? ଏହା ଜାଣିବା ପାଇଁ କଂଗ୍ରେସ ପକ୍ଷରୁ ଏବେ ନେତା ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୪ରୁ ୨୦୧୪ ମଧ୍ୟରେ କେଉଁମାନେ ଲୋକସଭା ଓ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ତାହା ଜାଣିବା ପାଇଁ ଦଳ ତରଫରୁ ନେତା ଗଣନା କରିବାକୁ ରାଜ୍ୟ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏକଦା ଭାରତବର୍ଷର ସବୁଠୁଁ ବଡ଼ ଦଳର ମାନ୍ୟତା ଅର୍ଜନ କରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଏହାର ନୀତି ଓ ନେତୃତ୍ୱ ସଂକଟ ସହିତ ସ୍ଥିତି ମଧ୍ୟ ମଧ୍ୟ ସଂକଟାପନ୍ନ ଅବସ୍ଥାରେ। ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଦଳର କେହି ଜଣେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ପଳାଉଛନ୍ତି। ଏଥିପାଇଁ ଦଳୀୟ ସାଂଗଠନିକ ପଦପଦବୀ ଦାୟିତ୍ୱ ଦେବାକୁ ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଓ ଲୋକପ୍ରିୟ ନେତାଙ୍କ ଅଭାବ ଦେଖାଦେଇଛି।

ଏହି ସଂକଟ ସମୟରେ ଦଳର ଭରସାଯୋଗ୍ୟ ତଥା ଲୋକପ୍ରିୟ ନେତାଙ୍କ ସନ୍ଧାନ କରିବାକୁ ଦଳ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏଆଇସିସି ବୈଠକରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ଏ ପ୍ରସଙ୍ଗ ଉଠାଇଥିଲେ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଦଳୀୟ ସଭ୍ୟ ସଂଗ୍ରହ ଦାୟିତ୍ୱ କେଉଁ ନେତାମାନଙ୍କ ଉପରେ ଅର୍ପଣ କରାଯିବ ତାହା ସ୍ଥିର କରିବାକୁ ଦଳର ଲୋକପ୍ରିୟ ତଥା ଭରସାଯୋଗ୍ୟ ନେତାଙ୍କ ସନ୍ଧାନ କରିବାକୁ ରାଜ୍ୟ କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ଉଦ୍ଦେଶ୍ୟରେ ୨୦୦୪ ମସିହାରୁ ଯେଉଁ କଂଗ୍ରେସ ନେତାମାନେ ଲୋକସଭା ଓ ରାଜ୍ୟସଭାକୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଏଯାଏଁ ଦଳରେ ସକ୍ରିୟ ଅଛନ୍ତି ସେମାନଙ୍କର ଏକ ତାଲିକା କରିବାକୁ ରାଜ୍ୟ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ଏବେ ଦିଲ୍ଲୀ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିରୁ ସଂକେତ ମିଳୁଛି ଯେ କଂଗ୍ରେସ ଦଳ ଆଉ ତାହାର ନେତାମାନଙ୍କ ସଂପର୍କରେ ମଧ୍ୟ ନାହିଁ। ଏହା ଦଳର ବର୍ତ୍ତମାନର ସ୍ଥିତି ସଂପର୍କରେ ଅନେକ ଆଭାସ ପ୍ରଦାନ କରେ।

By amfnews

Related Post