Tue. Mar 10th, 2026

ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ-ପୁଲିସ ମୁହାଁମୁହଁ : ପୁଲିସ ମାଡ଼ରେ ବିକ୍ଷୋଭକାରୀ ଆହତ; ୧୦ରୁ ଊର୍ଧ୍ବ ଗିରଫ

294 Views

ଭୁବନେଶ୍ବର : ଆଜି ରାଜଧାନୀର ଲୋୟର ପିଏମ୍‌ଜିରେ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ଓ ପୁଲିସ ମୁହାଁମୁହଁ ହୋଇଛନ୍ତି। ୫ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ବିକ୍ଷୋଭ ପ୍ରଦର୍ଶନ ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଦିନ ପ୍ରାୟ ୧୨ଟା ସମୟରେ ଆନ୍ଦୋଳନକାରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଉଥିଲେ। ସେମାନେ ବ୍ୟାରିକେଡ୍‌ ପାର୍‌ ହେବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା। ଯାହାକୁ ନେଇ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ପୁଲିସ ମୃଦୁ ଲାଠିଚାଳନା କରିଥିଲା। ଏଥିରେ ବହୁ ଆନ୍ଦୋଳନକାରୀ ଆହତ ହୋଇଥିଲେ। ସେହିପରି ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ ୧୦ରୁ ଊର୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ତେବେ ଏତିକିରେ ଥମି ନ ଥିଲେ ଆନ୍ଦୋଳନକାରୀ। ଦିନ ୧୨ଟାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଅଢ଼େଇ ଘଣ୍ଟାଧରି ସେଠାରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ଆନ୍ଦୋଳନକାରୀ ସେଠାରୁ ଆସି ଧାରଣାରେ ବସି ରହିଥିଲେ।

ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୪ହଜାର ବିଦ୍ୟାଳୟ ସଂଯୋଜକ ମାନଙ୍କୁ ସରକାରୀ ମାନ୍ୟତା ସହ ପୁନଃ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସମସ୍ତ ଉଚ୍ଚବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ, ବିଦ୍ୟାଳୟ ସଂଯୋଜକ ପରିବର୍ତ୍ତେ କମ୍ପ୍ୟୁଟର ଶିକ୍ଷକ, ଆସିଟିଇ-ବିଦ୍ୟାଳୟ ପ୍ରକଳ୍ପ ସରକାର ନିଜ ଅଧୀନକୁ ନେବା ସହ ବେସରକାରୀ ପରିଚାଳନା ମୁକ୍ତ କରିବା ପାଇଁ ଦୃଢ଼ ଦାବି କରାଯାଇଛି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ସଂଘର ସଭାପତି ସୌମ୍ୟରଂଜନ ମଲ୍ଲିକଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଆଇସିଟି ବିଦ୍ୟାଳୟ ସଂଯୋଜକ ଆନ୍ଦୋଳନରେ ସାମିଲ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୃଢ଼ ଦାବି କରିଛନ୍ତି।

By amfnews

Related Post