Sun. Mar 8th, 2026

ଅସୁରକ୍ଷିତ ରାଜଧାନୀ : ଆକ୍ରମଣ କରି ଟଙ୍କା ଓ ଗହଣା ଲୁଟ୍‌

211 Views

ପୁରୁଣା ଭୁବନେଶ୍ବର : ପୁଣି ରାଜଧାନୀରୁ ଲୁଟ୍‌। ଏଥର ଭୋରରୁ ଲୁଟିଛନ୍ତି ଲୁଟେରା। ପ୍ରାଣାନ୍ତକ ଆକ୍ରମଣ କରି ଜଣେ ମହିଳା ଓ ଯୁବକଙ୍କଠାରୁ ଲୁଟି ନେଇଛନ୍ତି ୭୫ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାରେ ସୁନାଗହଣା। ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଉଭୟ। ଦୁହିଁଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣା ଘଟିଛି ନବୀନ ନିବାସଠାରୁ କିଛି ମିଟର ଦୂରରେ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ନବୀନ ନିବାସ ନିକଟରୁ ଲୁଟ୍‌ କରି କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଏୟାରଫିଲ୍‌ଡ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ ଘଟଣାର ଛାନଭିନ ଆରମ୍ଭ କରିଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରୁ ଲୁଟେରାଙ୍କୁ ଚିହ୍ନଟ କରିଛି। ଗତ ଦେଢ଼ ମାସ ହେବ ରାଜଧାନୀରେ ଯେଉଁ ଭଳି ଢଙ୍ଗରେ ଲୁଟପାଟ୍‌, ଛିନତାଇ ଓ ସିନ୍ଧି ଚୋରି ବଢ଼ି ଚାଲୁଛି ତାକୁ ନେଇ ଏବେ ରାଜଧାନୀବାସୀ ନିଜକୁ ଅସୁରକ୍ଷିତ ମନେ କଲେଣି।

ମିଳିଥିବା ସୂଚନା ମୁତାବକ, ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଅଞ୍ଚଳର ସୁମନ୍ତ କୁମାର ନାୟକଙ୍କ ମାଷ୍ଟରକ୍ୟାଣ୍ଟିନ୍‌ରେ ଏକ ମୋବାଇଲ ଦୋକାନ ଅଛି। ସେ କୌଣସି ଏକ କାମରେ ରାଜ୍ୟ ବାହାରକୁ ଯାଇଥିଲେ। ଗତକାଲି ଭୋରରୁ ସେ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିବାର ଥିଲା। ତାଙ୍କୁ ଆଣିବା ଲାଗି ତାଙ୍କ ପତ୍ନୀ ସୁଭଦ୍ରା ପାତ୍ର ଓ ଦୋକାନ କର୍ମଚାରୀ ଦେବେଶ ସାହୁ ଏକ ସ୍କୁଟିରେ ଷ୍ଟେସନ୍‌ ଆସୁଥିଲେ। କାର୍‌ଗିଲ୍‌ ରୋଡ୍‌ ନିକଟ‌ରେ ୩ ଜଣ ଲୁଟେରା ସେମାନଙ୍କ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲେ। ଲୁଟେରାମାନେ ପିଛା କରୁଥିବା ଦେଖି ସ୍କୁଟି ଚଳାଉଥିବା ଦେବେଶ ହଡ଼ବଡ଼େଇ ଯାଇଥିଲେ। ଭୟରେ ରାସ୍ତାର ଏକ ଗଳି ଭିତରକୁ ଗାଡି ପୂରେଇ ଦେଇଥିଲେ। ତେବେ ରାସ୍ତାରେ ଖାଲ ଥିବାରୁ ଭାରସାମ୍ୟ ହରାଇ ସେ ଦୁହେଁ ଛିଟିକି ପଡ଼ିଥିଲେ। ଏହି ସମୟରେ ଲୁଟେରାମାନେ ସେମାନଙ୍କ ନିକଟରେ ପହଞ୍ଚି ସୁଭଦ୍ରା ପିନ୍ଧିଥିବା ମଙ୍ଗଳସୂତ୍ର, ସୁନାହାର, ମୁଦି ନେବାକୁ ଉଦ୍ୟମ କରିଥିଲେ। ସୁଭଦ୍ରା ଏହାର ବିରୋଧ କରିବାରୁ ଲୁଟେରାମାନେ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଭୟରେ ସୁଭୁଦ୍ରା ସବୁତକ ଗହଣା କାଢ଼ି ଦେଇ ଦେଇଥିଲେ। ଏହା ପରେ ସ୍କୁଟି ଡିକିରେ ଥିବା ୭୫ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ। ଦେବେଶଙ୍କୁ ମଧ୍ୟ ଲୁଟେରା ଛାଡ଼ି ନ ଥିଲେ। ତାଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଲୁଟେରାମାନେ ଚାଲିଯିବା ପରେ ଦୁହେଁ ଚିତ୍କାର କରିଥିଲେ। ପାଟିଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଫୋନ୍‌ କରିଥିଲେ। ପୁଲିସ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଲୁଟେରା ୩ଜଣ ମୁହଁରେ ରୁମାଲ ବାନ୍ଧି ଏଭଳି କାଣ୍ଡ ଭିଆଇଛନ୍ତି। କାର୍‌ଗିଲ୍‌ ରୋଡ୍‌ରେ ପାଟ୍ରୋଲିଂ ଅଭାବରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କଡ଼ା ସୁରକ୍ଷା ବଳୟରେ ଥିବା ନବୀନ ନିବାସଠାରୁ ମାତ୍ର କିଛି ଦୂରରେ ଏଭଳି ଘଟଣା ଘଟିବା ପୁଲିସର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜଧାନୀରେ ଭୋରରୁ ହେଉଥିବା ଲୁଟପାଟ ରୋକିବା ପାଇଁ କମିସନରେଟ୍‌ ପୁଲିସ ଅନେକ ଯୋଜନା କରିଥିଲା। ବାଇକ ପାଟ୍ରୋଲିଂଠାରୁ ଆରମ୍ଭ କରି ପିସିଆର୍‌ ଭ୍ୟାନ୍‌କୁ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଥିଲେ। ଏପରିକି ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀଙ୍କ ପାଖରେ ବନ୍ଧୁକ ରଖିବାକୁ କୁହାଯାଇଥିଲା। ଏତେ ସବୁ ସତ୍ତ୍ବେ ଲୁଟେରାମାନେ ଲୁଟପାଟ୍‌ ଜାରି ରଖିଛନ୍ତି। ରାଜଧାନୀରେ ଲୁଟପାଟ କରି ଏଭଳି ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ଅସାମାଜିକ ତତ୍ତ୍ବଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜଧାନୀବାସୀ ଦାବି କରିଛନ୍ତି।

By amfnews

Related Post