Mon. Apr 21st, 2025

ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ ପକ୍ଷ!

By amfnews Oct 18, 2019 #Featured
299 Views

ମୁସଲିମ ପାର୍ଟିର ଓକିଲ ଏଜାଜ ମକବୁଲ ଏକ ବିବୃତି ଜାରି କରି କହିଛନ୍ତି ଯେ “ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ୩ ଜଣିଆ ମଧ୍ୟସ୍ଥତା କମିଟି ବୁଝାମଣା ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ହେଲେ ମଧ୍ୟସ୍ଥତା ପ୍ୟାନେଲ ପକ୍ଷରୁ ଏହି ରିପୋର୍ଟକୁ ଲିକ୍‌ କରାଯାଇଛି।

ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ କିଛି ସର୍ତ୍ତରେ ବିବାଦୀୟ ଅଞ୍ଚଳ ହିନ୍ଦୁ ପକ୍ଷଙ୍କୁ ଛାଡ଼ିବାକୁ ରାଜି ହୋଇଥିବା ଖବର ପ୍ରାୟ ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେଣୁ ମଧ୍ୟସ୍ଥତା ପ୍ୟାନେଲର କୌଣସି ସଦସ୍ୟ ଗଣମାଧ୍ୟମକୁ ଏହା ଲିକ୍‌ କରିଛନ୍ତି। ହେଲେ ଏଥିରେ କୌଣସି ସତ୍ୟତା ନାହିଁ।

ମଧ୍ୟସ୍ଥତା ପ୍ୟାନେଲ ଆପୋଷ ବୁଝାମଣା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ଯେଉଁ ହିନ୍ଦୁ ପକ୍ଷ ବିବାଦୀୟ ଅଞ୍ଚଳକୁ ନେଇ ମାମଲା କରିଛନ୍ତି ସେମାନେ ଏହି ବୈଠକରେ ସାମିଲ ହୋଇ ନଥିଲେ। ତେଣୁ କେବଳ ସୁନ୍ନି ୱାକଫ ବୋର୍ଡକୁ ଛାଡ଼ିଦେଲେ ମଧ୍ୟସ୍ଥତା ପ୍ୟାନେଲ ପ୍ରସ୍ତାବକୁ ସମସ୍ତ ମୁସଲିମ ପକ୍ଷ ଅଗ୍ରାହ୍ୟ କରିଥିଲେ।

ହିନ୍ଦୁ ପକ୍ଷ କୌଣସି ବୁଝାମଣା କରିବାକୁ ଚାହୁଁ ନଥିବା ଖୋଲାଖୋଲି ଭାବେ କହୁଛନ୍ତି। ଏଭଳି ସ୍ଥିତିରେ ମଧ୍ୟସ୍ଥତା ପ୍ୟାନେଲର ଆପୋଷ ବୁଝାମଣା ପ୍ରସ୍ତାବ କେମିତି କାର୍ଯ୍ୟକାରୀ ହେବ? ସମସ୍ତ ମୁସଲିମ ପକ୍ଷ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ବିବାଦୀୟ ଅଞ୍ଚଳକୁ ନେଇ ଚାଲିଥିବା ବିବାଦ କେବେ ହେଲେ ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ ନାହିଁ। ଆମେ କେବେ ହେଲେ ବାବ୍ରୀ ମସଜିଦ୍‌ ଥିବା ଅଞ୍ଚଳକୁ ଛାଡ଼ିବୁ ନାହିଁ।” ଏଜାଜ ମୁକବୁଲ ହେଉଛନ୍ତି ଏହି ଘଟଣାରେ ମାମଲା ରୁଜୁ କରିଥିବା ଏମ ସିଦ୍ଦିକୀଙ୍କ ଓକିଲ।

ଦୀର୍ଘ ଦଶନ୍ଧି ହେଲା ଚାଲିଥିବା ଅଯୋଧ୍ୟ ଜମି ବିବାଦର ଶୁଣାଣି ଗତ ୧୬ ତାରିଖରେ ଶେଷ ହୋଇଛି। ନଭେମ୍ବର ୪ରୁ ୧୭ ମଧ୍ୟରେ ଏହାର ରାୟ ଆସିବ। ହେଲେ ଏହାପୂର୍ବରୁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଫଏମ କାଲିଫୁଲ୍ଲା, ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଇ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ ହୋଇଥିଲା।

ଏହି ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଫଳରେ ସୁପ୍ରିମକୋର୍ଟ ଅଗଷ୍ଟ ୬ରୁ ମାମଲାର ଦୈନିକ ଶୁଣାଣି ଆରମ୍ଭ କରିଥିଲେ। ଏହା ୧୬ ତାରିଖରେ ଶେଷ ହୋଇଛି। ମଧ୍ୟସ୍ଥତା ପ୍ୟାନେଲ ମଧ୍ୟ ତା’ର ଚୂଡ଼ାନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି।

ଏହି ରିପୋର୍ଟରେ ମୁସଲିମ ପକ୍ଷ ବିବାଦୀୟ ଅଞ୍ଚଳକୁ ହିନ୍ଦୁ ପକ୍ଷଙ୍କୁ ଛାଡ଼ିବାକୁ ରାଜି ହୋଇଥିବା ଉଲ୍ଲେଖଥିବା ଖବର ପ୍ରକାଶ ପାଇଥିଲା।

By amfnews

Related Post