Wed. May 8th, 2024

ଅମିତ୍ ଶାହା ଓ ମୁଙ୍ଗେରୀଲାଲ୍

patnaikprasanta1@gmail.com' By Prasanta Patnaik May 21, 2018 #Featured
463 Views

୧୯୮୮ରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ “ମୁଙ୍ଗେରୀ ଲାଲ୍ କେ ହସିନ୍ ସପ୍ନେ” ଆଜି ବି ଲୋକଙ୍କର ପ୍ରିୟ । ତେବେ ଏହି ଧାରାବାହିକଟି ତା’ ଶୀର୍ଷକ ପାଇଁ ବେଶ୍ ଲୋକପ୍ରିୟ । ଏହି ଧାରାବାହିକର କାହାଣୀଟିରେ ମୁଖ୍ୟ ନାୟକ ମୁଙ୍ଗେରୀଲାଲ୍ ଜଣେ କିରାଣୀ ଥିବାବେଳେ ଏହି ସେ ତା’ ବସ୍ ଓ ପତ୍ନୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡ଼ିଥାଏ । ତେଣୁ ସେ ସବୁବେଳେ ସ୍ୱପ୍ନ ଦେଖୁଥାଏ ଯେ, ସେ ଦିନେ ଇନ୍ସପେକ୍ଟର ହୋଇ ତା’ ବସ୍ଠାରୁ ପ୍ରତିଶୋଧ ନେବ ଓ ତା’ ସ୍ତ୍ରୀଠାରୁ ସୁନ୍ଦରୀ ଯୁବତୀ ପାଖରେ ସମୟ କାଟିବ, ତା’ ସ୍ୱପ୍ନ ସ୍ୱପ୍ନ ହୋଇଯାଏ । ତା’ର ଦିବାସ୍ୱପ୍ନଗୁଡ଼ିକ କେବେବି ସତ ହୋଇନଥାଏ । ତେବେ ଯେ କେହି ବି ଦିବା ସ୍ୱପ୍ନ ଦେଖିଥାନ୍ତି ଆଜି ବି ତାକୁ ମୁଙ୍ଗେରୀ ଲାଲ୍ କେ ହସିନ୍ ସପ୍ନେ ବୋଲି କୁହାଯାଇଥାଏ । ଯେମିତିକି ମୁଙ୍ଗେରୀଲାଲ୍ ତା’ ନିଜ ସାମର୍ଥ୍ୟ ବାହାରେ ଅଧିକ କିଛି ଆଶା କରି ସ୍ୱପ୍ନ ଦେଖେ ଓ ତାକୁ ପାଇବାର ଆଶା କରେ ।

ବିଜେପିର ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ସ୍ୱପ୍ନ ମଧ୍ୟ ମୁଙ୍ଗେରୀଲାଲ୍ଙ୍କ ହସିନ୍ ସପ୍ନେ ପରି ମିଳେଇଯିବାକୁ ଲାଗିଛି । ସାରା ଭାରତକୁ କଂଗ୍ରେସମୁକ୍ତ କରି କେଶରୀ / ଗେରୁଆ ରଙ୍ଗରେ ରଙ୍ଗାଇବାର ଦିବା ସ୍ୱପ୍ନ ଆଜି କର୍ଣ୍ଣାଟକ ନିର୍ବାଚନୀ ଫଳାଫଳ ଓ ସେଠାରେ ଚାଲିଥିବା ରାଜନୈତିକ ବାତାବରଣ ଦେଖି ବେଶ୍ ସ୍ପଷ୍ଟ ହୋଇଯାଇଛି । ନିକଟରେ ଗୋଆ, ପଣ୍ଡିଚେରୀ, ତ୍ରିପୁରା, ମେଘାଳୟ ଆଦି ରାଜ୍ୟଗୁଡ଼ିକରେ ଖୁବ୍ ତଞ୍ଚକତା ସହ ବିଜେପି ଶାସନଭାର ଗ୍ରହଣ କରିଥିବାବେଳେ କର୍ଣ୍ଣାଟକରେ ଅନୁରୂପ ଉପାୟରେ କ୍ଷମତା ହାସଲ କରିବା ପାଇଁ ସ୍ୱପ୍ନ ଦେଖି ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ନଥାଇ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏକାନ୍ତ ଅନୁଗତ କର୍ଣ୍ଣାଟକର ରାଜ୍ୟପାଳ ——– ବିଜେପି ବିଧାୟକ ଦଳର ନେତା ବି. ଏସ୍. ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ବାସ୍ତବ କ୍ଷେତ୍ରରେ ବିଜେପି ଦଳର ଏକକ ସଂଖ୍ୟା ଗରିଷ୍ଠତା ନଥିବା ସତ୍ତେ୍ୱ କ୍ଷମତା ଲୋଭରେ ଶ୍ରୀ ଅମିତ୍ ଶାହା ଏବଂ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଶ୍ରୀ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହାକୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଗଣତନ୍ତ୍ରର ହତ୍ୟା ଆଖ୍ୟା ଦିଆଯିବା ସହ ଭାରତର ସର୍ବୋଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ବିଧାନସଭାରେ ଦୁଇ ସପ୍ତାହ ମଧ୍ୟରେ ଶାସକ ଦଳର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଶ୍ରୀ ୟେୁଦୁରପ୍ପା ଆବେଦନ କରିବା ସତ୍ତେ୍ୱ ସୁପ୍ରିମ୍କୋର୍ଟ ତାହାକୁ ପ୍ରତ୍ୟାଖ୍ୟାନ କରି ମାତ୍ର ଦୁଇଦିନ ସମୟ ଦେଇଥିଲେ । ଦୁଇ ସପ୍ତାହ ସମୟ ପାଇଥିଲେ, କେନ୍ଦ୍ରରେ ଅଖଣ୍ଡ କ୍ଷମତା ଓ ପ୍ରଭାବର ଅଧିକାରୀ ବିଜେପି ଦଳ କଂଗ୍ରେସ ଏବଂ ଜେଡିଏସ୍ଦଳର ସଭ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ନିଜ ଦଳକୁ ନେଇ ଆସି ହୁଏତ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସୁବିଧା ହୋଇନଥାନ୍ତା । ଏଥିପାଇଁ ଦଳୀୟ ନେତାମାନେ ଉଦ୍ୟମ ଆରମ୍ଭ କରି କଂଗ୍ରେସ ଓ ଜେଡିଏସ୍ ନେତାମାନଙ୍କୁ ପ୍ରଭୁତ୍ୱ ଅର୍ଥ ଏବଂ ମନ୍ତ୍ରୀପଦର ପ୍ରଲୋଭନ ଦେଖାଉଥିବାର ଅଭିଯୋଗ ହେଉଥିଲା । ମାତ୍ର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିଷ୍ପତ୍ତି ଏଥିରେ ବାଧକ ସାଜିଲା । ଯାହାଫଳରେ କି ବିଧାନସଭା ଗୃହରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ଶ୍ରୀ ୟେଦୁରପ୍ପା ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଶ୍ରୀ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଅତିମାତ୍ରାରେ ଉତ୍ଫୁଲ୍ଲିତ ହୋଇଉଠି ଆଗାମୀ ୨୦୧୯ ନିର୍ବାଚନରେ ଭାରତର ସମସ୍ତ ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବ ବୋଲି ଘୋଷଣା କରି ତାଙ୍କର ‘ରଙ୍ଗୀନ୍ ସ୍ୱପ୍ନ’ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବାଲାଗି କୁଣ୍ଠିତ ହୋଇନଥିଲେ । ମାତ୍ର କର୍ଣ୍ଣାଟକ ନିର୍ବାଚନ ଫଳାଫଳର ଘୋଷିତ ହେବାଠାରୁ ସେଠାରେ ଯେଉଁ ହାଇଭୋଲେଟେଜ୍ ଅଭିନୀତି ହେବାକୁ ଲାଗିଲା ଏବଂ ଦେଶର ସର୍ବଭୌମତ୍ୱ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟଳୟର ହସ୍ତକ୍ଷେପ ପାଇଁ ଆବେଦନ କରାଗଲା ତାହାର ପରିଣତି ସ୍ୱରୂପ ସୃଷ୍ଟି ହୋଇଥିବା ରାଜନୈତିକ ଝଟ୍କାରେ ଅମିତ୍ ଶାହାଙ୍କ କ୍ଷମତାଲିପ୍ସାର ସୁନେଲୀ ସ୍ୱପ୍ନ ଚୂରମାର୍ ହୋଇଗଲା ।

ଭାରତୀୟ ଗଣତନ୍ତ୍ରରେ ଖୁବ୍ ଅଳ୍ପଦିନ ପାଇଁ ରହିଥିବା ମୁଖ୍ୟମନ୍ତ୍ରୀମାନେ :
ୟେଦୁରପ୍ପା (ଅଢେଇଦିନର ମୁଖ୍ୟମନ୍ତ୍ରୀ)
ଚଳିତ ବର୍ଷ କର୍ଣ୍ଣାଟକରେ ବି.ଏସ୍. ୟେଦୁରପ୍ପା ମାତ୍ର ଅଢେଇଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହି ଇସ୍ତାଫା ଦେଇଛନ୍ତି । କର୍ଣ୍ଣାଟକରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୪ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ୭୮ ଏବଂ ଜେଡ଼ିଏସ୍ ୩୮ଟି ଆସନ ମିଳିଥିଲା । ତେବେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଥିଲେ । ମାତ୍ର ରାଜ୍ୟପାଳ ଏଥିପାଇଁ ମନା କରିଦେଇ ଏକକ ସଂଖ୍ୟା ଗରିଷ୍ଠ ଦଳ ବିଜେପକୁ ବହୁମତ ସାବ୍ୟସ୍ତ କରିବାକୁ ୧୫ ଦିନ ସମୟ ଦେଇଥିଲେ । ଏହାକୁ ନେଇ ବହୁ ବାଦ ବିବାଦ ଦେଖାଯାଇଥିଲା । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । ପରେ ୟେଦୁରପ୍ପା ସରକାରଙ୍କୁ ବହୁ ମତ ସାବ୍ୟସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶନିବାର ଆସ୍ଥା ଭୋଟ୍ ପୂର୍ବରୁ ୟେଦ୍ୟୁରପ୍ପା ଇସ୍ତଫା ଦେଇଥିଲେ ।

ଜଗଦମ୍ବିକା ପାଲ (ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ)
୧୯୮୮ ମସିହା ଉତ୍ତରପ୍ରଦେଶ ନିର୍ବାଚନରେ ଜଗଦମ୍ବିକା ପାଲ୍ ମାତ୍ର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପିର କଲ୍ୟାଣ ସିଂଙ୍କ ସରକାରର ପତନ ପରେ ଫେବୃଆରୀ ୨୧ ତାରିଖରେ ଜଗଦମ୍ବିକା ପାଲ୍ ମୁଖ୍ୟମନ୍ତ୍ରୀ ରୂପେ ଶପଥଗ୍ରହଣ କରିଥିଲେ । ତେବେ ପାଲ୍ଙ୍କୁ ସଂଖ୍ୟାଗରିଷ୍ଠତା ଦେବା ପାଇଁ ଫେବୃଆରୀ ୨୪ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ସେ ଶପଥ ଗ୍ରହଣ କରିବାର ଠିକ୍ ଦିନକ ପରେ ଆହ୍ଲାବାଦ୍ ହାଇକୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ଫଳରେ ଜଗଦମ୍ବିକା ପାଲ୍ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସତୀଶ ପ୍ରସାଦ ସିଂହ (ଗୋଟିଏ ସପ୍ତାହର ମୁଖ୍ୟମନ୍ତ୍ରୀ)
ସତୀଶ ପ୍ରସାଦ ସିଂହ ବିହାରର ମୁଖ୍ୟମନ୍ତ୍ରୀ ଭାବେ ୧୯୬୮ ମସିହା ଜାନୁଆରୀ ୨୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ୧୯୬୮ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ମହାମାୟା ପ୍ରସାଦ ସିହ୍ନାଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ୧୫୫ ସଦସ୍ୟ ବିଶିଷ୍ଟ ଦଳ ବିରୋଧ ବିଦ୍ରୋହ କରିଥିଲେ । ଏହି ବିଦ୍ରୋହୀ ଗୋଷ୍ଠୀ ସଂଯୁକ୍ତ ସୋସିଆଲିଷ୍ଟ୍ ପାର୍ଟି ନେତା ବିପି ମଣ୍ଡଳଙ୍କୁ ସିହ୍ନାଙ୍କ ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ । ଜଣେ ସାଂସଦ ଭବେ ସିହ୍ନା ସର୍ବସମ୍ମତି କମେ ମନୋନୀତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ନିଯୁ୍କ୍ତି ଦେବା ପାଇଁ ବିଧାନ ପରିଷଦର ସଦସ୍ୟ ଭାବେ ତାଙ୍କ ନାମ ସୁପାରିଶ କରିନଥିଲେ । ଏହି ସମୟରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ସତୀଶ ପ୍ରସାଦ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ପରେ ଫେବୃଆରୀ ୨ ତାରିଖରେ ମଣ୍ଡଳଙ୍କ ନାମ ବିଧାନ ପରିଷଦର ସଦସ୍ୟ ରୂପେ ସୁପାରିଶ୍ କରି ସ୍ୱେଚ୍ଛାକୃତ ଭାବେ ତାଙ୍କୁ ନିଜ ପଦ ଦେଇଥିଲେ ।

ଏସ୍ସି ମାରକ୍ (୧୩ ଦିନର ମୁଖ୍ୟମନ୍ତ୍ରୀ)
ମେଘାଳୟରେ ବରିଷ୍ଠ କଂଗ୍ରେସ ନେତା ଏସ୍ସି ମାରକ୍ ୧୯୮୮ ମସିହା ଫେବୃଆରୀ ୨୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଭାଙ୍ଗିଯିବା ପରେ ମିଳିତ ସଂସଦୀୟ ମଞ୍ଚ ନେତା ବିବି ଲିଙ୍ଗ୍ଡୋ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ମାରକ୍ ଫେବୃଆରୀ ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସଫଳ ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମ୍ପାଦନ କରିଥିଲେ ।

ଜାନକୀ ରାମଚନ୍ଦ୍ରନ୍ (୨୩ ଦିନର ମୁଖ୍ୟମନ୍ତ୍ରୀ) : ୧୯୮୭ ମସିହା ଡିସେମ୍ବର ୨୪ ତାରିଖରେ ତାମିଲ୍ନାଡୁର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଏମ୍ଜି ରାମଚନ୍ଦ୍ରନ୍ଙ୍କ ପରଲୋକ ହେବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଦେଖାଦେଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ ଏମ୍ଜିଆରଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନ୍ ଏବଂ ଏଆଇଏଡ଼ିଏମ୍କେ ନେତ୍ରୀ ଜେ ଜୟଲଳିତା । ତେବେ ପାଖାପାଖି ୯୭ ଏଆଇଏଡ଼ିଏମ୍କେ ବିଧାୟକ ଜାନକୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ଏକ ରାଜିନାମା ସ୍ୱାକ୍ଷର କରି ରାଜ୍ୟପାଳ ଏସ୍ଏଲ୍ ଖୁରାନାଙ୍କ ପାଖରେ ଦାଖଲ କରିବା ପରେ ୧୯୮୮ ଜାନୁଆରୀ ୭ ତାରିଖରେ ଜାନକୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଜାନୁଆରୀ ୨୮ ତାରିଖରେ ତାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଆସ୍ଥା ଭୋଟ୍ ଦିନ ରାଜ୍ୟ ବିଧାନସଭାରେ ପ୍ରବଳ ହୋ-ହାଲ୍ଲା ହୋଇଥିଲା । ବିଧାୟକମାନେ ନିଜ ନିଜ ମଧ୍ୟରେ ପ୍ରବଳ ମାରିପିଟ୍ ହୋଇଥିଲେ । ଏହା ପରେ ସରକାର ଭାଙ୍ଗି ଯାଇଥିଲା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଥିଲେ ।

ସିଏଚ୍ ମହମ୍ମଦ କୋୟା (୪୫ଦିନର ମୁଖ୍ୟମନ୍ତ୍ରୀ)
ଆଇୟୁଏମ୍ଏଲ୍ (ଇଣ୍ଡିଆନ୍ ୟୁନିଅ୍ନ୍ ମୁସଲିମ୍ ଲିଗ୍) ନେତା ସିଏଚ୍ ମହମ୍ମଦ କୋୟା ମାତ୍ର ୪୫ ଦିନ ପାଇଁ କେରଳ ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୯ ମସିହା ଅକ୍ଟୋବର ୧୨ ତାରିଖରେ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କୋୟା ମାତ୍ର ୪୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହି ରାଜ୍ୟର ସବୁଠାରୁ କମ୍ ଦିନର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ରାଜ୍ୟରେ ମିଳିତ ବାମ ମେଣ୍ଟ ସରକାର ଗଠନ ହେବା ପରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଦୁଇ ସପ୍ତାହ ମଧ୍ୟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ଶ୍ରୀ ୟେଦୁରପ୍ପାଙ୍କୁ ଯଦି ସୁଯୋଗ ମିଳିଥାନ୍ତା, ସେ କେଉଁ ଉପାୟରେ ତାହା ପ୍ରମାଣ କରିପାରିଥାନ୍ତେ, ସେ ସମ୍ପର୍କରେ ଦେଶର ସର୍ବଶ୍ରେଷ୍ଠ ନିର୍ବାଚନ ପରିଚାଳକ ତଥା ସୋସିଆଲ୍ ଇଞ୍ଜିନିୟରିଂ ସିଦ୍ଧହସ୍ତ ଶ୍ରୀ ଅମିତ୍ ଶାହାଙ୍କ ମତାମତ ଇତିମଧ୍ୟରେ ଗଣମାଧ୍ୟମରେ ପ୍ରକାଶ ପାଇସାରିଛି । କର୍ଣ୍ଣାଟକ ନିର୍ବାଚନର ଫଳାଫଳ ବିଜେପି ଦଳର ନେତା ଓ କର୍ମୀମାନଙ୍କ ମନରେ ଉତ୍ସାହର ଯେଉଁ ଜୁଆର ସୃଷ୍ଟି କରିଥିଲା ଏବଂ ଆଗାମୀ ନିର୍ବାଚନରେ ଏହି ଜୁଆର ସମଗ୍ର ଦେଶକୁ ବ୍ୟାପି ଯିବ ବୋଲି ଦାବିକରାଯାଉଥିଲା, ସାମ୍ପ୍ରତିକ ଘଟଣାବଳୀ ତାହାର ଭଟ୍ଟା ପକାଇ ଦେଇଛି । ଆଗାମୀ ନିର୍ବାଚନରେ ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨୦ଟି ଦଖଲ କରିବା ପାଇଁ ଶ୍ରୀ ଶାହା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଏବଂ କଳେବଳେ କୌଶଳେ ତାହାକୁ ପ୍ରମାଣିତ କରିବେ ବୋଲି ବାହାସ୍ଫୋଟ ମାରି ଚାଲିଛନ୍ତି, କର୍ଣ୍ଣାଟକର ସାମ୍ପ୍ରତିକ ଘଟଣାପ୍ରବାହ ତାହାର ବିପରୀତ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନାକୁ ଆଦୌ ଏଡାଇ ଦେଇ ହେବ ନାହିଁ ।

Related Post