Tue. Mar 11th, 2025

ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ

By amfnews Jan 6, 2019 #Featured
281 Views

ବାପଘର ଛାତରୁ ଖସି ପଡ଼ିଲେ!, ଘରେ ଥିଲେ ସ୍ବାମୀ, ୪ ମାସର ପୁଅ, ବାପା-ମା’, ପରିବାରର ଅଭିଯୋଗ ରିପୋର୍ଟକୁ ଅପେକ୍ଷା

କଟକ , ଜାନୁଆରୀ ୬ : ସମ୍ବଲପୁରର ଆଲବମ୍‌ ଅଭିନେତ୍ରୀ ‘ସେଲ୍‌ଫି ବେବୋ’ ସିମରନ୍‌ଙ୍କ ମୃତ୍ୟୁର କେଇଦିନ ନପୂରୁଣୁ ଓଲିଉଡ୍ ତଥା ଓଡ଼ିଆ ସିରିଅଲ୍ ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମିପ୍ରୀୟା ବେହେରା ଓରଫ୍‌ ‘ନିକିତା’ଙ୍କର ଅତ୍ୟନ୍ତ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଗତକାଲି ରାତିରେ ବାପଘର ଛାତ ଉପରୁ ସେ ଖସି ପଡ଼ିଥିଲା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି। ପରିବାର ପକ୍ଷରୁ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଏହି ଅଭିନେତ୍ରୀଙ୍କ ପ୍ରକୃତ ନାଁ ‘ଲକ୍ଷ୍ମୀପ୍ରିୟା’ ହୋଇଥିଲେ ମଧ୍ୟ ‘ଏସିପି ନିକିତା’ରେ ଅଭିନୟ ଯୋଗୁ ସେ ନିକିତା ନାଁରେ ହିଁ ପରିଚିତ ଥିଲେ ଏବଂ ଏହି ନାଁରେ ଲୋକପ୍ରିୟତା ଅର୍ଜନ କରିଥିଲେ।

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା, ଅଭିନେତା ଲିପୁନ ‌ ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରେ ସେ ପ୍ରାୟତଃ ମହାନଦୀବିହାର ସ୍ଥିତ ତାଙ୍କ ବାପଙ୍କ ଘରେ ରହୁଥିବାବେଳେ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଗତକାଲି ରାତି ୧୦ଟାର ଘଟଣା ସମୟରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌େର ତାଙ୍କ ବାପା, ମା’ ଓ ସ୍ବାମୀ ଲିପୁନ ବି ଘରେ ଥିଲେ। କୁହାଯାଉଛି ଯେ, ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ, ‌ପରେ କଟକ ବଡ ମେଡିକାଲ ଏବଂ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଆଜି ଦିନ ସାଢେ ବାରଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ନିକିତାଙ୍କ ମୃତ୍ୟୁ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ଅଭିଯୋଗ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚାଉଳିଆଗଂଜ ଥାନା ଆଇଆଇସି ଅଜୟ ଦାସ ସୂଚନା ଦେଇଛନ୍ତି। ତେବେ, ସିଡିଏର ଏକ ଘରୋଇ ନର୍ସିଂହୋମରେ ଆଜି ନିକିତାଙ୍କୁ ମୃତ ଘୋଷଣା କରାଯାଇଥିବାରୁ ମର୍କତନଗର ଥାନାରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଅପରପକ୍ଷେ, ନିକିତାଙ୍କୁ ଯେଉଁ ଅବସ୍ଥାରେ ମେଡିକାଲକୁ ‌ନିଆଯାଇଥିଲା, ସେଥିରେ ସେ ଛାତରୁ ଖସି ଥିଲେ ନା ଅନ୍ୟ କୌଣସି ପ୍ରକାର ଆଘାତର ଶିକାର ହୋଇଥିଲେ, ତାହାକୁ ନେଇ ସନ୍ଦେହ ଜାରି ରହିଛି। ପରିବାର ଲୋକ ଏଯାଏ ଏ ସଂପର୍କରେ ସ୍ପଷ୍ଟ କରି ନଥିବାରୁ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିପାରି ନାହିଁ।

ନିକିତା ଜଣେ ଲୋକପ୍ରିୟ ଅଭିନେତ୍ରୀ। ଏସିପି ନିକିତା, ତପସ୍ୟା, ଆମ ଘର ଲକ୍ଷ୍ମୀ ପରି ଅନେକ ଟିଭି ସରିଏଲ୍‌ରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ପ୍ରଥମ ଚଳଚ୍ଚିତ୍ର ଭାବେ ସେ ତୁ ମୋ ଆଖିର ତାରା ଫିଲ୍ମରେ ଅଭିନୟ କରିଥିଲେ। ଏହାପରେ ‘ମଥାରେ ‌େଦଇ ପାଟ ଓଢଣୀ’, ‘ମିତ ବସିଛି ମୁଁ ଭୂତ ସାଥିରେ’, ‘ଗୁଣ୍ଡା’, ‘ଚୋରି ଚୋରି ମନ ଚୋରି’ ପରି ଅନେକ ଫିଲ୍ମ ଓ ଦୁଇ ଶହରୁ ଅଧିକ ଆଲବମ୍‌ରେ ଅଭିନୟ କରିଥିଲେ।

ପ୍ରକାଶଥାଉକି, ଦୁଇଦିନ ତଳେ ସେଲ୍‌ଫି ବେବୋର ଅଭିନେତ୍ରୀ ସିମରନ୍‌ଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ୍‌ ସିମରନଙ୍କ ସ୍ବାମୀ ଯୁଗ ସୁନାଙ୍କୁ ଗିରଫ କରିଛି। ଏବେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଆ ଟେଲିଭିଜନ ଓ ସିନେମା ଜଗତରେ ଗଭୀର ଶୋକ ତଥା ଉଦ୍‌ବେଗ ପ୍ରକାଶ ପାଇଛି।

By amfnews

Related Post