Sat. Mar 7th, 2026

ଅନୁଗୁଳରେ ଶିଶୁ ବିକ୍ରି, ସଂକଟାପନ୍ନ ଅବସ୍ଥାରେ ନବଜାତକ ଡାକ୍ତରଖାନାରେ ଭର୍ତି

533 Views

ଅନୁଗୁଳ, ଜାନୁଆରୀ ୩୦: ଜନ୍ମ ହେବାର ମାତ୍ର ୪ ଘଣ୍ଟା ମଧ୍ୟରେ ଏକ ନବଜାତ ଶିଶୁପୁତ୍ରକୁ ତା’ର ପିତାମାତା ବିକ୍ରି କରି ଦେବା ଘଟଣା ଅନୁଗୁଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନବଜାତ ଶିଶୁପୁତ୍ରକୁ ଉଦ୍ଧାର ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ପିଲାଟି ଏବେ ଜୀବନ ସହ ସଂଘର୍ଷ କରୁଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ନବଜାତକକୁ କିଣିଥିବା ଆଠମଲ୍ଲିକ ଅଂଚଳର ଜଣେ ରାଜମିସ୍ତ୍ରୀ ବାଇଧର ‌ବେହେରା ଅନୁଗୁଳ ମହିଳା ମହାବିଦ୍ୟାଳୟ ପାଖ ମଦ‌ନ ମୋହନ ପଡ଼ାର ଗୋଲାସାହିରେ ଭଡ଼ାଘରରେ ରହୁଛନ୍ତି। ବାଇଧରଙ୍କ ପ୍ରଥମ ପତ୍ନୀଙ୍କଠାରୁ ୩ଟି ସନ୍ତାନ ଥିବା ବେଳେ କିଛି ବର୍ଷ ତଳେ ବବିତା ବେହେରାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି।

ଦ୍ବିତୀୟ ବିବାହ ପରେ ବାଇଧର ନିଜ ପ୍ରଥମ ପତ୍ନୀ ଓ ପିଲାମାନଙ୍କଠାରୁ ଅଲଗା ରହୁଛନ୍ତି। ବାଇଧର ଓ ବବିତାଙ୍କର ଆଗରୁ ଗୋଟିଏ କନ୍ୟା ସନ୍ତାନ ରହିଛି। ଗତ ୨୨ ତରିଖ ଦିନ ବବିତା ନିଜ ଭଡ଼ାଘରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ‌ଏହି ଶିଶୁପୁତ୍ରକୁ ଅପରାହଣ ୫ଟାରେ ସେ ଅନୁଗୁଳ ବଜାରରେ ଥିବା ପ୍ରକାଶ ଜ୍ବେଲର୍ସର ମାଲିକ ସୁନୀଲ ଅଗ୍ରୱାଲଙ୍କ ହାତରେ ଟେକି ଦେଇଥିଲେ। ଗତ ୨୮ ତାରିଖ ଦିନ ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ର ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲା

ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଘଟଣା ସଂକ୍ରାନ୍ତରେ ଅନୁଗୁଳ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‌ମଂଗଳବାର ପୂର୍ବାହ୍ନରେ ପୁଲିସ ଅଧିକାରୀଙ୍କ ସହିତ ଶ୍ରୀବେହେରା ଅନୁଗୁଳ ବଜାରସ୍ଥିତ ସୁନୀଲ ଅଗ୍ରୱାଲଙ୍କ ବାସଭବନରେ ଚଢ଼ଉ କରିଥିଲେ। ‌ସମ୍ଭବତଃ ଆଗୁଆ ସୂଚନା ପାଇ ସୁନୀଲ ତାଙ୍କ ଘର ଓ ଦୋକାନ ବନ୍ଦ କରି କେଉଁ ଆଡ଼େ ଚାଲି ଯାଇଥିଲେ। ଅପରାହଣରେ ସୁନୀଲ ଅନୁଗୁଳ ଥାନାକୁ ଯାଇ ପୁଲିସକୁ ଶିଶୁପୁତ୍ରକୁ ହସ୍ତାନ୍ତର କରିଥିଲେ ବୋଲି ଶ୍ରୀ ବେହେରା କହିଛନ୍ତି। ରାତି ସାଢ଼େ ୭ଟାରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)ରେ ଅନୁଗୁଳ ପୁଲିସ ଏହି ଶିଶୁପୁତ୍ରକୁ ହାଜର କରାଯାଇଥିଲା। ତେବେ ଅଚାନକ ଶିଶୁପୁତ୍ରର ପାଟିରୁ ରକ୍ତ ବାହାରିବାରୁ ତାକୁ ତୁରନ୍ତ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆଯାଇଥିଲା। ଆସନ୍ତାକାଲି ପୁଣି ସୁନୀଲ ଓ ବେହେରା ଦମ୍ପତିକୁ ଡକା‌ଇ ଏ ସଂକ୍ରାନ୍ତରେ ପଚରାଉଚରା କରାଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି।

By amfnews

Related Post