Fri. Jan 10th, 2025

‌ଦୁଇଦିନିଆ ରିମାଣ୍ଡରେ ଗୋଲଡେନ୍‌ ବାବା: ସନ୍ଦେହ ଘେରରେ ନେତା, ସାମ୍ବାଦିକ

By amfnews Jan 4, 2019 #Featured
265 Views

ଭୁବନେଶ୍ବର, ଜାନୁଆରୀ ୦୪  : ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋଲଡେନ୍‌ ବାବା ଓରଫ୍‌ ଜ୍ୟୋତିରଞ୍ଜନ ବେଉରାଙ୍କୁ ରିମାଣ୍ଡରେ ନେଇଛି କମିସନରେଟ୍‌ ‌ପୁଲିସ। ୫ ଦିନିଆ ରିମାଣ୍ଡ ନେବା ପାଇଁ ବୁଧବାର କମିସନରେଟ୍‌ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ବେଳେ ଆଜି ଦୁଇ ଦିନ ପାଇଁ ଅନୁମତି ମିଳିଛି। ଅନୁମତି ମିଳିବା କ୍ଷଣି ତଦନ୍ତ ଆରମ୍ଭ କରିଛି ପୁଲିସ। ଏକ ଗୁପ୍ତ ଜାଗାରେ ତାକୁ ରଖାଯାଇ ପଚରାଉଚରା କରାଯାଉଛି। ସେ କେଉଁଠୁ ଅର୍ଥ ଆଣୁଥିଲା ଓ କିଭଳି ତାହାକୁ ଖର୍ଚ୍ଚ କରୁଥିଲା ସେନେଇ ପଚରାଉଚରା କରାଯାଉଛି। ସେପଟେ ଗୋଲଡେନ୍‌ ବାବାର କିଛି ସହଯୋଗୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଯେଉଁମାନେ ଜ୍ୟୋତିଙ୍କ ଆଖପାଖରେ ରହୁଥିଲେ ସେମାନଙ୍କୁ ଉପରେ ପୁଲିସର କଡ଼ା ନଜର ରହିଛି। ରାଜନେତାଙ୍କ ସମେତ କେତେଜଣ ସମାଜସେବୀ, ସାମ୍ବାଦିକ ମଧ୍ୟ ତାଙ୍କ ନିକଟତର ହୋଇଥିଲେ। ‌ଲକ୍ଷାଧିକ ଟଙ୍କା ହେରଫେରରେ ବି ସେମାନଙ୍କର ହାତ ଥିବା ପୁଲିସ ସନ୍ଦେହ କରିଛି।

ଦୁଇ ଦିନିଆ ପୁଲିସ ରିମାଣ୍ଡରେ ପୁଲିସ ବିଭିନ୍ନ ଦିଗ ଉପରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଖଣି ବ୍ୟବସାୟ ସମେତ ଆଉ କେଉଁ ବ୍ୟବସାୟରେ ତାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରାଯିବ। ଭୁବନେଶ୍ବର, କଟକ, କେନ୍ଦୁଝର ସମେତ ରାଜ୍ୟର ଆଉ କେଉଁ ଅଞ୍ଚଳରେ ଗୋଲ୍‌ଡେନ୍‌ ବାବା ନିଜର ଜାଲ ବିଛାଇଥିଲା ତାହାର ତଦନ୍ତ ହେବ। ଗୋଲଡେନ୍‌ ବାବାର କଳା ସାମ୍ରାଜ୍ୟକୁ ଖୋଜିବ ପୁଲିସ। ଇତି ମଧ୍ୟରେ ପୁଲିସ ପକ୍ଷରୁ ଭୁବନେଶ୍ବର ସମେତ କଟକର ବିଭିନ୍ନ ଜାଗାରେ ଚଢ଼ଉ କରାଯାଇଛି। ଭୁବନେଶ୍ବରର ନୀଳାଦ୍ରିବିହାର ଓ କଳାରାହାଙ୍ଗରେ ଥିବା ଘର ଉପରେ ଚଢ଼ଉ କରିବା ସହ କଟକରେ ଥିବା ଶ୍ବଶୁର ଘର ଉପରେ ବି ଚଢ଼ଉ ହୋଇଛି। ସେ ଚଲାଉଥିବା ୪ଟି ଦାମୀ ଗାଡ଼ି କୁଆଡ଼େ ଗଲା? କିଏ ତାହାକୁ ଲଚାଇ ରଖିଛି? ଗାଡ଼ିଗୁଡ଼ିକ କେଉଁଠି ରହିଛି? ସେ ସଂପର୍କରେ ମଧ୍ୟ ପଚରା ଉଚରା ହେବ। ଦୁଇ ଦିନ ମଧ୍ୟରେ ତାର ଆଉ କିଛି ସହଯୋଗୀଙ୍କୁ ପଚରାଉଚରା କରାଯିବା ସହ ଗିରଫ କରାଯିବାର ସମ୍ଭାବନା ରହିଛି।

ଡିସିପି ଅନୁପ ସାହୁଙ୍କ କହିବାନୁଯାୟୀ ଜ୍ୟୋତିରଞ୍ଜନକୁ ଗିରଫ କରାଯିବା ପରେ ଏବେ ଦୁଇଦିନିଆ ରିମାଣ୍ଡରେ ନିଆଯାଇଛି। ପ୍ରତିଟି ଦିଗ ଉପରେ ତଦନ୍ତ ହେବ। ଆଉ କେଉଁ ସବୁ ଥାନାରେ ଗୋଲଡେନ୍‌ ବାବା ନାଁରେ କିଭଳି ଅଭିଯୋଗ ରହିଛି ତାହା ଖୋଜା ଚାଲିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ବହୁ ଗଭୀରକୁ ଲମ୍ବିଛି ଗୋଲଡେନ୍‌ ବାବାର ଚେର। କ୍ୟାମେରାମ୍ୟାନ୍‌ରୁ କିଭଳି କୋଟିପତି ସାଜିଲା ତାହାକୁ ପ୍ରାଥମିକତା ଦିଆଯାଉଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରକୁ ପ୍ରାୟ କୋଟିଏ ୬୦ ଲକ୍ଷ ଟଙ୍କାରେ କିଣିବାକୁ ସେ ଉଦ୍ୟମ କରିଥିଲା। ଏହା ସମ୍ଭବ ନ ହେବାରୁ ଘର ମାଲିକଙ୍କୁ ଧମକଚକମ ଦେଉଥିଲା। ତାର କଳା କାରନାମା ବଢ଼ୁଥିବାରୁ ରାଜନେତାଙ୍କ ଛତ୍ରଛାୟା ତଳେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଥିଲା। କିଛି ମାତ୍ରାରେ ଫଳପ୍ରଦ ବି ହୋଇଥିଲା। ତାକୁ ଗିରଫ କରାଯିବା ପରେ ଛାଡ଼ି ଦେବା ପାଇଁ ଜଣେ ଛାତ୍ରନେତା ପୁଲିସ ଉପରେ ଚାପ ପକାଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି।

ନେତାଙ୍କ ସମ୍ପୃକ୍ତି କଥା ଉଠାଇଲା ଛାତ୍ର କଂଗ୍ରେସ
ଭୁବନେଶ୍ବର: ଠକାମି ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତିରଞ୍ଜନ ବେଉରା(ଗୋଲଡେନ୍‌ ବାବା)କୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ଇତିଶ୍‌ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ‌ଗୋଲ୍‌ଡେନ୍‌ ବାବା ବିଜୁ ଜନତା ଦଳର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ତଳୀର ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରୁଥିଲେ। ତାଙ୍କ ଦ୍ବାରା ଆୟୋଜିତ ହେଉଥିବା ବହୁ ସଭା ଓ କାର୍ଯ୍ୟକ୍ରମରେ ବିଜେଡିର ମନ୍ତ୍ରୀ ଓ ନେତା ଯୋଗଦେଇ ଗୋଲଡେନ୍‌ ବାବାଙ୍କୁ ପ୍ରଶ˚ସା କରିବା ସହ ପ୍ରୋତ୍ସାହିତ କରୁଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସମ୍ପୃକ୍ତ ଥିବା ମନ୍ତ୍ରୀ, ନେତାଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ। ଏଥିସହ ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସମସ୍ତ ସରକାରୀ ଅନୁଦାନକୁ ୩ ଦିନ ଭିତରେ ବନ୍ଦ କରାଯାଉ। ନଚେତ୍‌ ଛାତ୍ର କ˚ଗ୍ରେସ ରାଜରାସ୍ତାରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

By amfnews

Related Post