Sat. Mar 7th, 2026

୩୦ ହଜାର କନଷ୍ଟେବଳଙ୍କୁ ମିଳୁନି ‘ଷ୍ଟାର୍‌’, ୧୬ ବର୍ଷ ହେବ ବସୁନି ବୋର୍ଡ, ମିଳୁନି ପଦୋନ୍ନତି

333 Views

କଟକ : ଓଡ଼ିଶା ପୁଲିସ ବିଭାଗରେ ୩୦ ହଜାର କନଷ୍ଟେବଳଙ୍କ କାନ୍ଧରେ ଲାଗିପାରୁନି ଷ୍ଟାର। ସେମାନେ କନଷ୍ଟେବଳରୁ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ପାଇପାରୁ ନାହାନ୍ତି। ସାଧାରଣ ବର୍ଗର ଏହି କନ୍‌ଷ୍ଟେବଳ ୨୩ ବର୍ଷ କନ୍‌ଷ୍ଟେବଳ ଚାକିରି କଲେଣି। କିନ୍ତୁ କନ୍‌ଷ୍ଟେବଳ ପାହ୍ୟାରେ ଅଟକି ରହିଛନ୍ତି। ଯଦିଓ ଓଡ଼ିଶା ପୁଲିସ ମାନୁଆଲ୍‌ ରୁଲ୍‌(ପିଏମ୍‌ଆର୍‌)ରେ କନ୍‌ଷ୍ଟେବଳ ଚାକିରିର ୭ ବର୍ଷ ପରେ ଜଣେ ଏଏସ୍‌ଆଇ ପାହ୍ୟା ପାଇଁ ଯୋଗ୍ୟ ହୋଇଥାଏ। କିନ୍ତୁ ୧୬ ବର୍ଷ ହେବ ପୁଲିସ ବିଭାଗ ପକ୍ଷରୁ ପଦୋନ୍ନତି ବୋର୍ଡ ବସିପାରିଲା ନାହିଁ। ଚାକିରିର ଅଧା ବର୍ଷ ବିନା ପଦୋନ୍ନତିରେ କଟିଲାଣି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର କନ୍‌ଷ୍ଟେବଳଙ୍କ ୧୬ ବର୍ଷ ଭିତରେ ତିନି ଥର ବୋର୍ଡ ବସିଥିବା ବେଳେ ସାଧାରଣ ବର୍ଗ ବଞ୍ଚିତ ହୋଇଥିବାରୁ, ବିଭାଗରେ ଏବେ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଗଲାଣି। ଏହାର ସିଧାସଳଖ ପ୍ରଭାବ କାର୍ଯ୍ୟ କ୍ଷେତ୍ରରେ ବି ପଡ଼ୁଥିବା କୁହାଯାଉଛି।

ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଦୁର୍ନୀତି ନିବାରଣ ବିଭାଗ, ଗୃହ ବିଭାଗ ଅଧୀନରେ ଅଗ୍ନିଶମ ବିଭାଗ, ରେଳବାଇ ପୁଲିସ, ପୁଲିସ ବିଭାଗର ୩୬ଟି ପୁଲିସ ଜିଲ୍ଲାରେ ଏଏସ୍‌ଆଇ ପଦବି ପୂରଣ କରାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗତ ୨୦୧୭ ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଭାବେ ସାଧାରଣ ବର୍ଗର କନେଷ୍ଟବଳଙ୍କୁ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭ ଜାନୁଆରି ୧ ତାରିଖ ସୁଦ୍ଧା ଯେଉଁ କନେଷ୍ଟବଳ ସାତ ବର୍ଷ କାଳ କାର୍ଯ୍ୟ କରିଥିବେ, ସେମାନେ ଏଏସ୍‌ଆଇ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ୨୦୧୭ ଅଗଷ୍ଟ ୧୦ ତାରିଖ ସୁଦ୍ଧା ଉପରୋକ୍ତ ମାନଦଣ୍ଡ ପୂରଣ କରିଥିବା କନେଷ୍ଟବଳ ନିଜ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ମତିପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭାଗରେ ଯେତେ ସଂଖ୍ୟକ ଏଏସ୍‌ଆଇ ପଦବି ଖାଲି ପଡ଼ିଥିବ, ସେହି ଅନୁଯାୟୀ ସାଧାରଣ ବର୍ଗରେ ଉତ୍ତୀର୍ଣ୍ଣ କନ୍‌ଷ୍ଟେବଳଙ୍କୁ ପଦୋନ୍ନତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ ବିଭାଗ ଚିଠି ଆଧାରରେ କନ୍‌ଷ୍ଟେବଳ ଜିଲ୍ଲା ଏସ୍‌ପି/ଡିସିପିଙ୍କ ନିକଟରେ ସମ୍ମତିପତ୍ର ଦାଖଲ କରିଥିଲେ। କିନ୍ତୁ ସେବେଠୁ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କ ପାଇଁ କୌଣସି ଲିଖିତ ପରୀକ୍ଷା କରାଗଲା ନାହିଁ।

By amfnews

Related Post