Mon. Jun 9th, 2025

୩୦ କୋଟି ଟଙ୍କା ଠକି ପଳାତକ ଘୋଷିତ ଦଂପତିଙ୍କୁ ଗିରଫ କଲା ପୁଲିସ୍‌

By amfnews Feb 11, 2019 #Featured
153 Views

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟର କେତେକ ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗରେ ଦଂପତିଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବିନୋଦ ବଂସଲ (୫୭) ଓ ତାଙ୍କ ପତ୍ନୀ ପ୍ରୀତି ବଂସଲ (୫୬)। ଏ ଦୁହେଁ ଗୁରଗାଓଁର ବାସିନ୍ଦା। ଉଭୟଙ୍କର ବିରୋଧରେ ନ୍ୟାୟାଳୟରେ ଏକ ଡଜନରୁ ବି ଅଧିକ ଠକେଇ ମାମଲା ବିଚାରଧୀନ ରହିଛି। ସେମାନଙ୍କୁ ନ୍ୟାୟାଳୟ ପଳାତକ ଘୋଷିତ କରିଥିଲୋ। ଏ ଦୁହିଁଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ଦୀର୍ଘ ଦିନ ଧରି ସିବିଆଇ ଏ ଦୁହିଁଙ୍କୁ ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। କିନ୍ତୁ ଏହି ଦଂପତିଙ୍କୁ ଧରିବାରେ ସଫଳ ହୋଇ ନଥିଲା ।ଦକ୍ଷିଣ ଦିଲ୍ଲୀର ଡିସିପି ବିଜୟ କୁମାରଙ୍କ ନେତ୍ୱରେ ଏକ ପୁଲିସ ଟିମ୍‌ ଏହି ପଳାତକ ଦଂପତିଙ୍କ ସନ୍ଧାନ କରି ଉଭୟଙ୍କୁ ସୂର୍ଯ୍ୟବିହାର ଅଞ୍ଚଳରୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବିନୋଦ ବଂସଲ ଜଣେ ଗ୍ରାଜୁଏଟ୍‌ ଓ ପତ୍ନୀ ପ୍ରୀତି ଜଣେ ପୋଷ୍ଟ ଗ୍ରାଜୁଏଟ୍‌। ୧୯୮୩ରେ ବିନୋଦ ଚାକିରି ସନ୍ଧାନରେ ଦିଲ୍ଲୀ ଆସିଥିଲେ ଓ ପରେ ଫରିଦାବାଦରେ ଜମିଜମା କିଣାବିକା କାମରେ ନିୟୋଜିତ ହୋଇଥିଲେ। ୨୦୦୬ରେ ସିବିଆଇ ସେମାନଙ୍କୁ ପ୍ରଥମେ ଏକ ଗ୍ରୁପ୍‌ ହାଉସିଂ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଏମାନେ ଦିଲ୍ଲୀ ବ୍ୟତୀତ ପଞ୍ଜାବ ଓ ହରିଆଣାରେ ବି ଠକେଇ କରିଥିବା ଜଣାଯାଇଛି।

By amfnews

Related Post