ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ରାହୁଲ ଗାନ୍ଧି ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୫ ତାରିଖରେ ସେ ଭୁବନେଶ୍ୱରରେ ଜନସାଧାରଣ ଓ କର୍ମୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। । ରାହୁଲଙ୍କ ସମାବେଶ ନିର୍ଦିଷ୍ଟ କେଉଁ ସ୍ଥାନରେ ହେବ ତାହା ସ୍ଥିର ହୋଇ ନାହିଁ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏଥିଲାଗି ଭୁବନେଶ୍ୱରରେ ୨ଟି ସ୍ଥାନ ଚିହ୍ନଟ ହୋଇଛି । ତମାଣ୍ଡୋ ପଡିଆ କି ବରମୁଣ୍ଡା ପଡ଼ିଆରେ ସଭା ହେବ ବୋଲି ପିସିସି ସଭାପତି କହିଛନ୍ତି । ରାହୁଲ ସାଧାରଣସଭା ବ୍ୟତୀତ ସିଭିଲ ସୋସାଇଟି, ଚାଷୀ, ହାଲ ପ୍ରତିନିଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ରାହୁଲ । ୨୫ ତାରିଖ ସକାଳ୧୦ଟାରୁ ସଂଧ୍ୟା ୫ଟା ଯାଏଁ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ରାହୁଲଙ୍କ ଏହି ଗସ୍ତ ନେଇ କଂଗ୍ରେସ ଶିବିରରେ ଉତ୍ସାହ ରହିଛି । ୩ ରାଜ୍ୟରେ ବିଜେପିକୁ ଚିତ୍ ପଟାଙ୍ଗ କରି ସରକାର ଗଢ଼ିବା ପରେ ଓଡ଼ିଶା ଉପରେ ରାହୁଲଙ୍କ ନଜର ରହିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମାରାଥନ୍ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ। ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖ ଓଡିଶା ଗସ୍ତ ସାରିବା ପରେ ପୁଣି ଦୁଇ ଦୁଇ ଥର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଆସନ୍ତା ଫେବୃୟାରି ୫ ତାରିଖ ଏବଂ ୨୭ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।