Tue. May 13th, 2025

ହନୁମାନଙ୍କ ସାନ୍ତାକ୍ଲଜ୍‌ ବେଶ: ପୂଜକ କହୁଛନ୍ତି ପଶମ ପୋଷାକ ତାଙ୍କ ଦେହକୁ ଉଷୁମ ରଖିବ

By amfnews Dec 31, 2018 #Featured
152 Views

ଗାନ୍ଧୀନଗର, ଡିସେମ୍ବର ୩୧ : ଗୁଜରାଟର ଗୋଟିଏ ମନ୍ଦିରରେ ହନୁମାନଙ୍କୁ ସାନ୍ତାକ୍ଲଜ୍‌ ବେଶପୋଷାକ ପିନ୍ଧାଇ ଦିଆଯାଇଥିବାରୁ ବିବାଦ ଉପୁଜିଛି। ଘଟନାଟି ଘଟିଛି ସରଙ୍ଗପୁର ଠାରେ, ଯେଉଁଠି ହନୁମାନ ‘କଷ୍ଟଭଞ୍ଜନ ଦେବ’ ନାମରେ ପୂଜା ପାଆନ୍ତି। ରବିବାର ଦିନ କେତେକ ହିନ୍ଦୁ ଭକ୍ତ ହନୁମାନଙ୍କୁ ସାନ୍ତାକ୍ଲଜ୍‌ଙ୍କ ପୋଷାକ ଭଳି ନାଲି ଓ ଧଳା ପୋଷାକ ପିନ୍ଧାଇ ଦେଇଥିଲେ।

କିନ୍ତୁ, ଏ ଭଳି କାମ ସମସ୍ତଙ୍କର ପସନ୍ଦ ହୋଇ ପାରି ନାହିଁ। ପରେ ସେ ମନ୍ଦିରକୁ ଯାଇଥିବା କେତେକ ଭକ୍ତ ହନୁମାନଙ୍କ ନୂତନ ପୋଷାକ ଉପରେ ଆପତ୍ତି ଉଠାଇ ଥିଲେ। ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରେ ସେମାନେ ନିଜର ରାଗ ଓ କ୍ଷୋଭ ଜଣାଇଥିଲେ।

କିନ୍ତୁ, ମନ୍ଦିର କର୍ତ୍ତୃପକ୍ଷମାନ ଚତୁରତାର ସହ ବିବାଦ ଏଡ଼ାଇ ଦେଇଛନ୍ତି। ସେମାନେ କହିଲେ ଆମେରିକାରେ ଥିବା ହନୁମାନଙ୍କ ଭକ୍ତମାନେ ଏହି ପୋଷାକ ପଠାଇଥିଲେ। ସେ ପୋଷାକପତ୍ର ପଶମରେ ତିଆରି ଏବଂ ପ୍ରଭୁଙ୍କୁ ଥଣ୍ଡାରୁ ରକ୍ଷା କରିବ।
ମନ୍ଦିରର ମୁଖ୍ୟ ପୂଜକ ସ୍ୱାମୀ ବିବେକସାଗର ମହାରାଜ କହିଲେ, ସେ ପୋଷାକ ସାନ୍ତାକ୍ଲଜ୍‌ଙ୍କର ନୁହେଁ। ସେଗୁଡ଼ିକ ମଖମଲି କନାରେ ତିଆରି ହୋଇଥିବାରୁ ଆମେ ହନୁମାନଙ୍କୁ ପିନ୍ଧାଇବାକୁ ସ୍ଥିର କଲୁ। କାହାରି ଭାବାବେଗକୁ ଆଘାତ ଦେବା ଉଦ୍ଦେଶ୍ୟ ନାହିଁ।

କିନ୍ତୁ, ଲୋକେ ଚିଡ଼ିବାରୁ, ପରେ ମନ୍ଦିର କର୍ତ୍ତୃପକ୍ଷ ହନୁମାନଙ୍କ ଦେହରୁ ସେ ପୋଷାକ ଓହ୍ଲାଇ ଦେଇଥିଲେ।

By amfnews

Related Post