Sat. Mar 7th, 2026

ସିନ୍ଦୂରକୁ ଭୁଲି ପ୍ରେମିକକୁ ଧରିଲେ, ହେଲେ ଧୋକା ଖାଇ ବାଛିଲେ ଶେଷ ରାସ୍ତା

296 Views

ବଲାଙ୍ଗିର : ସାତ ଜନମର ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥିଲେ। ହେଲେ ସ୍ୱାମୀକୁ ଭୁଲି ପ୍ରେମରେ ଉବୁଟୁବୁ ହେଲେ। ଆଉ ନିଜ ସଂସାର ଭାଙ୍ଗି ଯାହା ସହ ସଂସାର ଗଢ଼ିବେ ବୋଲି ଘରୁ ଗୋଡ଼ କାଢ଼ିଥିଲେ ସେ ବି ରାସ୍ତା ମଝିରେ ଛାଡ଼ି ପଳାଇଥିଲେ। ଏହା ଥିଲା ତାଙ୍କ ପାଇଁ ପୂରା ଅପ୍ରତ୍ୟାଶିତ। ଜୀବନର ଏଭଳି ଏକ ମୋଡ଼ରେ ପହଞ୍ଚିବା ପରେ କ’ଣ କରିବେ ଭାବି ବାଛି ନେଲେ ଶେଷ ରାସ୍ତା।

ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସୁଦପଡ଼ା ସଖୀ ସେଣ୍ଟରରେ। ମୃତ ମହିଳା ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି।  ତାଙ୍କ ମୃତଦେହକୁ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଏହି ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ବଲାଙ୍ଗିରରେ ରହୁଥିଲେ। ଉଭୟ ପତିପତ୍ନୀ ସେଠାରେ ପରିବା ବେପାର କରି ବେଶ୍‌ ହସଖୁସିରେ ରହୁଥିଲେ। ହେଲେ ଟିକିରାପଡ଼ାର ଜଣେ ଯୁବକ ଇଲେକ୍ଟ୍ରି କାମ କରୁଥିବା ବେଳେ ଉକ୍ତ ମହିଳାଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଲୁଚାଚୋରା ପ୍ରେମ।

କିଛି ଦିନ ପରେ ମହିଳାଙ୍କ ହାବଭାବରୁ ତାଙ୍କ ସ୍ୱାମୀ ଏବିଷୟରେ ଜାଣିପାରି ବହୁତ ବୁଝାଇଥିଲେ। କିନ୍ତୁ ପ୍ରେମରେ ଉବୁଟୁବୁ ହେଉଥିବା ମହିଳା ଜଣକ ସ୍ୱାମୀଙ୍କୁ ପର କରି ଉକ୍ତ ଯୁବକ ସହ ଘର ଛାଡ଼ି ପଳାଇଲେ।  ଦୁହେଁ ସୋନପୁର ଜିଲ୍ଲାରେ ୩ ମାସ ଏକାଠି ଘର ଭଡ଼ା ନେଇ ରହିଥିଲେ। କିନ୍ତୁ ଏହାପରେ ଯୁବକ ଜଣକ ଆଉ ଧରାଛୁଆଁ ଦେଲେନି। ସେ ବିବାହିତ ହୋଇଥିବାରୁ ସମ୍ପୃକ୍ତ ମହିଳାଙ୍କୁ ବିବାହ କରିବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

ଏହାପରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ବେଳେ ସେ ଏବେ ଜେଲ୍‌ରେ ଅଛନ୍ତି। ଯୁବକ ଗିରଫ ହେବା ପରେ ମହିଳା ଜଣକ ଗତ ୨୬ ତାରିଖରୁ ସଖୀ ସେଣ୍ଟରରେ ରହୁଥିଲେ। କିନ୍ତୁ ଗତକାଲି ରାତିରେ ସେ ଅଫିସ୍‌ର ଏକ ରୁମ୍‌ ବନ୍ଦ କରି ଦେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ସେଠାରେ ଥିବା କର୍ମଚାରୀମାନଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବଲାଙ୍ଗିର ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଓ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛନ୍ତି।

By amfnews

Related Post