Tue. Nov 5th, 2024

ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ : ଚାଷୀଙ୍କୁ ମିଳୁନି ବସ୍ତା

By amfnews Dec 27, 2018 #Featured
179 Views

ଅନୁଗୁଳ, ଡିସେମ୍ବର ୨୭ : ଅନୁଗୁଳ ଜିଲ୍ଲାରେ ଝୋଟ ବସ୍ତାର ଘୋର ଅଭାବ ପରିଲକ୍ଷିତ ହୋଇଛି। ଜରି ବସ୍ତାରେ ମିଲ୍‌କୁ ଧାନ ଯାଉଛି। କେବଳ ସେତିକି ନୁହେଁ, ଝୋଟ ବସ୍ତା ଅଭାବର ଆଳ ଦେଖାଇ ପେକ୍ସ ଓ କଷ୍ଟମ ମିଲର୍ସ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ଜିଲ୍ଲା ପ୍ରଶାସନର ଅବହେଳାର ପରିଣାମ ଚାଷୀମାନଙ୍କୁ ଭୋଗିବାକୁ ପଡ଼ୁଥିବା ବେଳେ ଝୋଟ ଚାଷୀ ଓ ଝୋଟ ଶିଳ୍ପକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମହତ୍ ଉଦ୍ଦେଶ୍ୟ ବି ଫେଲ୍‌ ମାରିଛି।

ଗତ ୧ ଡିସେମ୍ବରରେ ଓଡ଼ିଶା ରାଜ୍ୟ‌ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଝୋଟ ବସ୍ତାର ବ୍ୟବହାର ସଂକ୍ରାନ୍ତରେ ଅନୁଗଳ ଜିଲ୍ଲାପାଳଙ୍କୁ ଏକ କଡ଼ା ଚିଠି (ପତ୍ର ସଂଖ୍ୟା୧୮୫୯୪) ଦେଇଥିଲେ। ଏଥିରେ ଉଲ୍ଲେଖ ଥିଲା, ଗତ କିଛିବର୍ଷ ହେଲା ଖରିଫ ଧାନ ସଂଗ୍ରହ ବେଳେ ମିଲ୍ ମାଲିକମାନେ ନୂଆ ବସ୍ତା କିଣୁଥିଲେ। ଏଥର କିନ୍ତୁ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଦିଆଯିବ ନାହିଁ। ମିଲ୍‌ ମାଲିକମାନଙ୍କୁ ସେମାନଙ୍କ ଆବଶ୍ୟକତା ମୁତାବକ ଆଗୁଆ ବସ୍ତା ଯୋଗାଇ ଦିଆଯିବ। ତେଣୁ ନିଜ ଜିଲ୍ଲା ପାଇଁ କେତେ ସଂଖ୍ୟକ ବସ୍ତା ଆବଶ୍ୟକ ହେବ, ସପ୍ତାହକ ମଧ୍ୟରେ ସ୍ପଷ୍ଟ ଭାବେ ଜଣାଇବାକୁ ପରାମର୍ଶ ଦେଇଥିଲେ। ଆହୁରି ମଧ୍ୟ ମିଲ୍‌ ମାଲିକମାନଙ୍କୁ ବସ୍ତା ଯୋଗାଣରେ ଯେମିତି ପାତର ଅନ୍ତର ନହୁଏ,‌ ସେଥିପାଇଁ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ କହିଥିଲେ। ଏଥିସହିତ, ସଠିକ୍‌ ବସ୍ତା ବିତରଣ ନ ହେଲେ ଜିଲ୍ଲାପାଳଙ୍କୁ ହିଁ ଦାୟୀ କରାଯିବ ବୋଲି ସେ ସତର୍କ କରାଇଥିଲେ।

ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଠାକୁରଗଡ଼ଠାରେ ଘଟିଥିବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ଠାକୁରଗଡ଼ରେ ରାଜରାସ୍ତା ପାଲଟିଛି ଧାନମଣ୍ଡି।

ବସ୍ତା ଅଭାବର ଆଳ ଦେଖାଇ ଚାଷୀମାନଙ୍କୁ ସେମାନଙ୍କ ବସ୍ତା ଫେରସ୍ତ କରାଯାଉ ନାହିଁ। ଚାଷୀମାନେ ‌ଯେଉଁ ବସ୍ତାରେ ଧାନ ଆଣୁଛନ୍ତି, ସେହି ବସ୍ତାକୁ ମିଲ୍‌ ମାଲିକମାନେ ନେଇ ଯାଉଛନ୍ତି। ଝୋଟ ବସ୍ତାର ଅଭାବ ଯୋଗୁ ବହୁ ଚାଷୀ ଜରି ବସ୍ତାରେ ମିଲ୍‌କୁ ଧାନ ଆଣୁଛନ୍ତି।

ଏ ସମ୍ପର୍କରେ ଜିଲ୍ଲାପାଳ ଅନିଲ ସାମଲ କହିଛନ୍ତି, ମୁଁ ଏବର୍ଷ ତିନୋଟି ଜାଗାରେ ମଣ୍ଡି ଉଦ୍‌ଘାଟନ କରିଛି। କିନ୍ତୁ କେଉଁଠାରୁ ଏମିତି ହେବାର ଦେଖା ଯାଇନାହିଁ। ଠାକୁରଗଡ଼ରେ ଯଦି ଏମିତି ହେଉଥାଏ ତେବେ ସିଏସ୍ଓଙ୍କୁ ଏହାର ତଦନ୍ତ କରିବାକୁ କୁହାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି।

By amfnews

Related Post