ନୂଆଦିଲ୍ଲୀ, ଅକ୍ଟୋବର ୨୦ : ପୂର୍ବ ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ମଧ୍ୟରେ ଭାରତ ମାଲବାର ନୌସେନା ଅଭ୍ୟାସରେ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ଘୋଷଣା କରିଛି । ଏଥର ମାଲବାର ନୌସେନା ଅଭ୍ୟାସ ଚଳିତ ବର୍ଷ ଶେଷ ସୁଦ୍ଧା ବଙ୍ଗୋପସାଗରରେ ଆୟୋଜନ କରାଯିବ । ଏଥିରେ ଭାରତ ଆମେରିକା ଓ ଜାପାନ ବ୍ୟତୀତ ଅଷ୍ଟ୍ରେଲିଆର ନୌସେନାକୁ ସାମିଲ କରିବା ଲାଗି ଔପଚାରିକ ଭାବେ ନିମନ୍ତ୍ରଣ ପଠାଇଛି । କୁହାଯାଉଛି ଯେ, ଭାରତର ଏହି ପଦକ୍ଷେପରେ ଚୀନର ଚିନ୍ତା ବଢ଼ିବା ସୁନିଶ୍ଚିତ ।
ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ଭାରତ ସମୁଦ୍ର ସୁରକ୍ଷା କ୍ଷେତ୍ରରେ ଅନ୍ୟ ଦେଶ ସହିତ ସହଯୋଗ ବଢ଼ାଇବା ଲାଗି ପ୍ରତିଶୃତିବଦ୍ଧ । ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସହିତ ପ୍ରତିରକ୍ଷା ସହଯୋଗ ବଢ଼ାଇବା ଲାଗି ମାଲବାର-୨୦୨୦ରେ ଅଷ୍ଟ୍ରେଲିଆ ନୌସେନାକୁ ଆମନ୍ତ୍ରିତ କରିଛି । ଖୁବ ଶୀଘ୍ର ଭାଗିଦାରୀ ଦେଖିବାକୁ ମିଳିବ । ବୟାନରେ କୁହାଯାଇଛି ଯେ, ଅଭ୍ୟାସରେ ଭାଗ ନେଇଥିବା ଦେଶର ନୌସେନାର ସମନ୍ୱୟ ମଜବୁତ ହେବ ।
ଅଷ୍ଟ୍ରେଲିଆକୁ ପୁଣି ଥରେ ମାଲବାର ନୌସେନା ଅଭ୍ୟାସର ଅଂଶବିଶେଷ କରି ଭାରତ କ୍ୱାଡ ଦେଶର ରଣନୀତି ଓ ସାମରିକ ଭାଗିଦାରୀର ନୂତନ ସୂଚନା ଦେଇଛି । ଏହା ପ୍ରଥମ ଥର ପାଇଁ ୪ଟି ଦେଶ ମଧ୍ୟରେ ମିଳିତ ନୌସେନାଭ୍ୟାସ ହେବ । ତେବେ ଭାରତ, ଅଷ୍ଟ୍ରେଲିଆ, ଆମେରିକା ଓ ଜାପାନର ମିଳିତ ନୌସେନା ଅଭ୍ୟାସ ନେଇ ଚୀନର ଚିନ୍ତା ବଢ଼ିବା ସ୍ୱାଭାବିକ ।