Sun. Mar 8th, 2026

ସମଲିଙ୍ଗୀ ଭିଡିଓ କ୍ଲିପ୍‌ ପ୍ରସଙ୍ଗ: କାନ୍ଦିଲେ ବିଜେପି ବିଧାୟକ

203 Views

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ ପାଇଁ ବିତର୍କ ଚାଲିଥିବା ବେଳେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲି ଏକ ‘ଗେ ସେକ୍ସ’ ଭିଡିଓ ଭାଇରାଲ ହେବାକୁ ନେଇ ଗୃହରେ କାନ୍ଦି ପକାଇଛନ୍ତି। ଗତ କିଛି ଦିନ ହେଲା ସୋଶାଲ୍‌ ମିଡିଆରେ ବିଧାୟକ ଅରବିନ୍ଦଙ୍କ ଗେ’ ସେକ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏ ପ୍ରସଙ୍ଗରେ ଜେଡିଏସ୍‌ ବିଧାୟକ କେଏମ ଶିବଲିଙ୍ଗେଗୌଡ଼ା ଗୃହକୁ ଅବଗତ କରାଇବା ସହ ବିଧାୟକ ଅରବିନ୍ଦଙ୍କୁ ତାଚ୍ଛଲ୍ୟ କରିଥିଲେ। ତେବେ ବାଚସ୍ପତି ରମେଶ କୁମାର ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ଓ ଏହାକୁ ଗୃହରେ ଉଠାଇବାକୁ ବାରଣ କରିଥିଲେ। କିନ୍ତୁ ବିଧାୟକ ଅରବିନ୍ଦ ସ୍ୱେଚ୍ଛାକୃତ ଭାବେ ଏ ପ୍ରସଙ୍ଗରେ ମତ ରଖିଥିଲେ।

ବିଧାୟକ ଅରବିନ୍ଦ ବେଶ ଭାବପ୍ରବଣ ହୋଇ କହିଥିଲେ, “ଏଭଳି ଫେକ୍‌ ଭିଡିଓ ପାଇଁ ମୋ ପରିବାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଭିଡିଓ ଦ୍ୱାରା ସେମାନଙ୍କ ମନରେ କ’ଣ ଚାଲିଛି, ସେକଥା କେବଳ ସେଇମାନେ ହିଁ ଜାଣିଛନ୍ତି।

ଏଭଳି ଭିଡିଓକୁ ରାଜନୀତିକ ଉଦ୍ଦେଶ୍ୟ ରଖି ଭାଇରାଲ କରାଯାଇଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ହେବା ଦରକାର।” ଏହାପରେ ନିଜ ଆସନରେ ବସି ବିଧାୟକ ଅରବିନ୍ଦ କାନ୍ଦି ପକାଇଥିଲେ। ବାଚସ୍ପତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ଅରବିନ୍ଦଙ୍କ ସମର୍ଥକମାନେ ପୁଲିସ୍‌ ନିକଟରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି।

By amfnews

Related Post