Sat. Mar 7th, 2026

ସବୁ ଜିଲ୍ଲାରେ ହେବ କୋଭିଡ୍-୧୯ ହସପିଟାଲ : ସ୍ବାସ୍ଥ୍ୟମନ୍ତ୍ରୀ

215 Views

ଝାରସୁଗୁଡ଼ା: କରୋନା ଭୂତାଣୁ କୋବିଡ୍-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ଭୟାଭହ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଙ୍ଗରୋଧ ଓ ସାମାଜିକ ଦୂରତ୍ବ ଏକମାତ୍ର ଉପାୟ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ପାଳନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଆମେ ଶପଥ ନେଇ ଏହି କରୋନା ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ହସପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଏହାକୁ ଗୁରୁତ୍ବ ଦେଇଛନ୍ତି ଓ ଏଥିପାଇଁ ବିଭିନ୍ନ ଘରୋଇ ହସପିଟାଲ ସହଯୋଗରେ ଏହି ହସପିଟାଲ ମାନ ଯୁଦ୍ଧକାଳୀନ ଭିତ୍ତିରେ ହେବାକୁ ଯାଉଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ତଥା ଅନ୍ୟାନ୍ୟ ଜିଲ୍ଲାରେ କୋଭିଡ୍ ହସପିଟାଲ ପ୍ରତିଷ୍ଠା ପାଇଁ ମଙ୍ଗଳବାର ୧୧.୪୫ ମିନିଟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଆହ୍ବାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବୈଠକରେ କେୟାର ହସପିଟାଲ ଓ ବିକାଶ ହସପିଟାଲ କର୍ତ୍ତୃପକ୍ଷଙ୍କ ସମେତ ଏକ ଚୁକ୍ତନାମା ହେବାର ସମ୍ଭାବନା ରହିଥିବା ଜଣାଯାଇଛି। ଝାରସୁଗୁଡ଼ାରେ କୋଭିଡ୍ ହସପିଟାଲ ପାଇଁ ବ୍ଲାକ ଡାଇମଣ୍ଡ ସ୍କୁଲ କିମ୍ବା ଲହଣ୍ଡାବୁଡ଼ ଠାରେ ଥିବା ନବୋଦୟ ବିଦ୍ୟାଳୟ ଚିହ୍ନଟ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା
କରୋନା ମୁକାବିଲା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଟେଲିଫୋନ୍ ଯୋଗେମ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି। ଏହି ଆଲୋଚନା ବେଳେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ପିପିଇ ସହିତ ଚିକିତ୍ସା ଉପକରଣ ଓ ସବୁ ଯାଗାରେ ପରୀକ୍ଷା ପାଇଁ ଅନୁମତି ତଥା ଟେଷ୍ଟିଂ କିଟ୍ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଥିଲେ।

By amfnews

Related Post