Sun. Mar 8th, 2026

‘ଶ୍ରୀନଗରରେ ପହଞ୍ଚି ଫୋନ୍‌ କରିବି…’; ଏହା ଥିଲା ପତ୍ନୀଙ୍କ ସହିତ ସହିଦ ମନୋଜଙ୍କ ଶେଷ କଥା: ସ୍ୱାମୀଙ୍କୁ ଝୁରି ହେଉଛନ୍ତି ଇଲିଲତା

326 Views

ଭୁବନେଶ୍ୱର: ‘ସେ କ’ଣ ଜାଣିଥିଲେ, ସ୍ୱାମୀଙ୍କ ସହିତ ହେବ ଏହା ଶେଷ କଥା? ଏହାପରଠାରୁ ଆଉ ସେ କେବେ ବି ସ୍ୱାମୀଙ୍କ ସ୍ୱର ଶୁଣି ପାରିବେ ନାହିଁ।’

କାଶ୍ମୀରରେ ଗୁରୁବାର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ମଧ୍ୟରୁ କଟକ ଜିଲ୍ଲା ନିଆଳିର ରତନପୁର ଗ୍ରାମର ମନୋଜ ବେହେରାଙ୍କ ପତ୍ନୀ ଇଲିଲତାଙ୍କ କ୍ଷେତ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି। ତାଙ୍କ ଉପରେ ହଠାତ୍‌ ଲଦି ହୋଇ ପଡ଼ିଛି ଦୁଃଖର ପାହାଡ଼।

ସ୍ୱାମୀ ସହିଦ ମନୋଜଙ୍କ ସହ ଶେଷ ବାର୍ତ୍ତାଳାପକୁ ମନେପକାଇ ଇଲିଲତା କହନ୍ତି, ‘ସେ ମତେ ଫୋନ କରି କହିଲେ, ମୁଁ ଆଜି ଶ୍ରୀନଗର ପଳାଇ ଯିବି। ରାସ୍ତା ଜାମ ହୋଇଯିବ। ଏଥିପାଇଁ ମୁଁ ସକାଳ ୩ଟାରେ ଉଠିବି। ମୁଁ ତୁମକୁ ସେଠାରେ ପହଞ୍ଚି ହିଁ ଫୋନ୍‌ କରିବି।’

ମନୋଜଙ୍କ ଫୋନକୁ ଅପେକ୍ଷା କରିଥିବା ଇଲିଲତା ଭାବି ନ ଥିଲେ କି ତାଙ୍କର ଏହି ଅପେକ୍ଷାର ଅନ୍ତ କେବେ ବି ଘଟିବ ନାହିଁ।

ଏହି ଫୋନ୍‌ କଲ୍‌କୁ ଇଲିଲତା ବିଶ୍ୱାସ କରି ପାରି ନ ଥିଲେ। ସଙ୍ଗେସଙ୍ଗେ ସେ ମୁର୍ଚ୍ଛା ପାଲଟି ଯାଇଥିଲେ।

୨୦୧୭ ଜାନୁଆରି ୨୦ ତାରିଖରେ ଇଲିଲତାଙ୍କ ସହିତ ମନୋଜ କୁମାର ବେହେରାଙ୍କ ବିବାହ ହୋଇଥିଲା। ସେମାନଙ୍କର ଏକବର୍ଷର ଏକ କନ୍ୟା ସନ୍ତାନ ବି ଅଛି। ସ୍ୱାମୀଙ୍କ ସହିତ ହୋଇଥିବା ଶେଷକଥାକୁ ମନେ ପକାଇ ଇଲିଲତା ଭୋ ଭୋ ହୋଇ କାନ୍ଦି ଉଠନ୍ତି।

ମନୋଜଙ୍କ ମା’ ସାବିତ୍ରୀ ବେହେରା କୋହ ଭରା ସ୍ୱରରେ କହନ୍ତି, ପୁଅ ଗତ ବର୍ଷ ଡିସେମ୍ବର ୨୪ରେ ଘରକୁ ଆସିଥିଲା। ଆମେ ବହୁତ ଖୁସି ଥିଲୁ। ସେ ଜାନୁଆରି ୧୬ରେ ଝିଅର ଜନ୍ମଦିନକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିଲା। ଏହାପରେ ପୁଅ ଫେବ୍ରୁଆରି ୬ରେ ସେ ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥିଲା।

କଟକ ନିଆଳିର ରତ୍ନପୁର ଗ୍ରାମର ମନୋଜ ବେହେରା ୨୦୦୬ରେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ।

By amfnews

Related Post