Sun. Apr 27th, 2025

ଶିକ୍ଷାନୁଷ୍ଠାନରେ ରକ୍ତଛିଟା: ପୂର୍ବରୁ ପୁଲିସ୍‌ ଏବେ ମୁଖାପିନ୍ଧା ଦୁର୍ବୃତ୍ତ

By amfnews Jan 6, 2020 #Featured
157 Views

ନୂଆଦିଲ୍ଲୀ : ଯଦି ଛାତ୍ରଛାତ୍ରୀମାନେ ଦେଶର ଭବଷ୍ୟତ, ତା’ହେଲେ ଦେଶର ଭବିଷ୍ୟତମାନଙ୍କ ଜୀବନ ଏବେ ବିପଦରେ। ବିଶେଷ କରି ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଗତ ଦୁଇଟି ରବିବାରରେ ଦେଶର ୩ଟି ବିଶ୍ୱବିଦ୍ୟାଳୟର ଚଟଣା ଛାତ୍ରଛାତ୍ରୀଙ୍କ ରକ୍ତଛିଟାରେ ରଙ୍ଗୀନ ହୋଇଛି।

ପୂର୍ବର ରବିବାରରେ ପୁଲିସ୍ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ବେଳେ ଏବେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି।

ଡିସେମ୍ବର ୧୫ ରବିବାର ପ୍ରଥମେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ପଶି ପୁଲିସ୍ ଛାତ୍ରଛାତ୍ରୀଙ୍କୁ ଗାଈଗୋରୁଙ୍କ ଭଳି ପିଟିଥିଲା। ସିଏଏ ବିରୋଧରେ ଜାମିଆ ଶିକ୍ଷାର୍ଥୀ ଆନ୍ଦୋଳନ ଡାକରା ଦେଇଥିଲେ। ହେଲେ କିଏ ପଥର ମାଡ଼ କଲା ଓ କିଏ ନିରୀହ ସେକଥା ବିଚାର ନ କରି ପୁଲିସ ଲାଇବ୍ରେରୀରେ ପଶି ସମସ୍ତଙ୍କୁ ମାଡ଼ ମାରିଲା।

ସେହି ଡିସେମ୍ବର ୧୫ ରାତିରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ମଧ୍ୟ ପୁଲିସ୍‌ ପଶିଥିଲା। ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହ ଏକ ହଜାର ଶିକ୍ଷାର୍ଥୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ସିଏଏ ବିରୋଧରେ ଏମାନେ ଆନ୍ଦୋଳନ କରୁଥିଲେ।

ଏବେ ପୁଣି ଏକ ରବିବାରରେ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଜୁଲମ ହୋଇଛି। ଏଥର ପୁଲିସ ନୁହେଁ ବରଂ ମୁଖାପିନ୍ଧା ଦୁର୍ବୃତ୍ତମାନେ କ୍ୟାମ୍ପସରେ ପଶି ଗୁଣ୍ଡାଗାର୍ଦ୍ଦି କରିଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଏକାଧିକ ଛାତ୍ରଛାତ୍ରୀ ଲହୁ ଲୁହାଣ ହୋଇଛନ୍ତି। ଜେଏନୟୁ ସଭାପତି ଆଇଶି ଘୋଷ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ କ୍ୟାମ୍ପସ ବାହାରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପୂର୍ବରୁ ବାମପନ୍ଥୀ ଓ ଏବିଭିପି ସମର୍ଥକ ନୂଆ ସେମିଷ୍ଟର ପଞ୍ଜୀକରଣକୁ ନେଇ ମୁହାଁମୁହିଁ ହୋଇଥିଲେ। ଏହାପରେ ରାତିରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ଆହତ ଛାତ୍ରଛାତ୍ରୀମାନେ ଏବିଭିପିକୁ ଏଥିପାଇଁ ଦାୟୀ କରିଛନ୍ତି।

ବାମପନ୍ଥୀ ଛାତ୍ର ସଂସଦ ଜେଏନୟୁ ଫି’ ବୃଦ୍ଧିକୁ ବିରୋଧ କରୁଛି। ଏଥିପାଇଁ ସେମାନେ ନୂଆ ସେମିଷ୍ଟର ପଞ୍ଜୀକରଣକୁ ବିରୋଧ କରୁଛନ୍ତି। ହେଲେ ଏବିଭିପି ପଞ୍ଜୀକରଣ ସମକକ୍ଷରେ ନିଜର ଅଭିଯାନ ଆରମ୍ଭ କରିଥିଲା।

By amfnews

Related Post