Sat. Mar 7th, 2026

ଶତାଧିକ ସ୍ଥାନରେ ଇଭିଏମ୍ ଓ ଭିଭିପାଟରେ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ; ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ

260 Views

ଆଜି ସକାଳୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ବୁଥ୍ରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବିତ ହେବାରେ ଲାଗିଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମତଦାନକୁ ସୁରୁଖୁରୁରେ ପରିଚାଳନା ପାଇଁ ଇଭିଏମ୍ରେ ଦେଖାଦେଇଥିବା ତ୍ରୁଟିକୁ କେତେକ ବୁଥ୍ରେ ପୁଲିଂ କର୍ମଚାରୀମାନେ ସଜାଡିବାରେ ଲାଗିଥିବା ବେଳେ ଅନ୍ୟ କେତେକ ବୁଥରେ ନୂଆ ଇଭିଏମ୍ ମେସିନ୍ ଲଗାଇ ମତଦାନ ଜାରି ରଖିଥିବା ଦେଖିବାକୁ ମିଳିଛି।

ମୟୁରଭଞ୍ଜ ଜିଲ୍ଲା ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜରାଣୀ ୟୁପି ସ୍କୁଲ୍ସ୍ଥିତ ବୁଥ୍ ନମ୍ବର ୫୧ ଏବଂ ୬୧ରେ ଇଭିଏମ୍ କାମ କରୁ ନ ଥିବାରୁ ମତଦାନରେ ବିଳମ୍ବ ଘଟିଛି। ଇଭିଏମ୍ ତ୍ରୁଟି ଯୋଗୁଁ ବାରିପଦାର ବୁଥ୍ ନମ୍ବର ୮, ୧୦ ଏବଂ ଶ୍ରୀରାମ ଚନ୍ଦ୍ର ସ୍କୁଲ୍ର ବୁଥ୍ ନମ୍ବର ୬୦ରେ ମତଦାନ ଆରମ୍ଭ ହୋଇ ପାରି ନାହିଁ। ଜିଲ୍ଲାର କୁସୁମୀ ବ୍ଲକ୍ର ବୁଥ୍ ନମ୍ବର ୨ରେ ଇଭିଏମ୍ ତ୍ରୁଟି ଯୋଗୁଁ ୪୫ ମିନିଟ୍ ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ସେହିପରି କେନ୍ଦ୍ରାପଡ଼ାର ବୁଥ୍ ନମ୍ବର ୧୩୯, ୧୪୧, ଫକିାରାବାଦର ବୁଥ୍ ନମ୍ବର ୧୬, ଆଳିର ୨୨୬ ପଦନିପାଳର ୫୭, ରାଜନଗରର ବୁଥ୍ ନମ୍ବର ୨୨୬ ଓ ୬୮ରେ ଇଭିଏମ୍ ତ୍ରୁଟି ଦେଖାଯାଇଥିଲା। କେନ୍ଦ୍ରାପଡ଼ାର ନାନକାରସ୍ଥିତ ବୁଥ୍ ନମ୍ବର ୧୬୧, ଇନ୍ଦୁପୁର, ଗରାପୁର, ଧୁମାତ ଓ ଗୁଲନଗରରେ ଇଭିଏମ୍ କାମ କରୁନାହିଁ। ପାଟକୁରା ନିର୍ବାଚନ ମଣ୍ଡଳୀର ବ୍ରହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୧୭୯ରେ ଇଭିଏମ୍ ଅଚଳ ଯୋଗୁଁ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।

By amfnews

Related Post