Thu. Dec 26th, 2024

ରୋହିତଙ୍କ ଝଡ଼ରେ ଉଡ଼ିଲା ଇଣ୍ଡିଜ, ୨୨୪ ରନରେ ଭାରତ ବିଜୟୀ

By amfnews Oct 29, 2018 #Featured
290 Views

Khabar Odisha:India-won-by-224-runs
ମୁମ୍ବାଇ, ଅକ୍ଟେ।ବର୨୯: ରୋହିତ ଶର୍ମା(୧୬୨) ଓ ମଧ୍ୟକ୍ରମ  ବ୍ୟାଟସମ୍ୟାନ ଅମ୍ବତି ରାୟୁଡୁ(୧୦୦)ଙ୍କ ଶତକ ଏବଂ ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଆଗରେ ଆତ୍ମ ସମର୍ପଣ କରିଛି ଓ୍ଵେଷ୍ଟଇଣ୍ଡିଜ। ମୁମ୍ବାଇର ବାର୍ବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଓ୍ଵେଷ୍ଟଇଣ୍ଡିଜକୁ ବିଶାଳ ୨୨୪ ରନରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଭାରତ ଦ୍ଵାରା ଧାର୍ଯ୍ୟ ବିଶାଳ ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୩୬.୨ ଓଭରରେ ୧୫୩ ରନରେ ଅଲଆଉଟ୍ ହୋଇଛି। ଇଣ୍ଡିଜ ପକ୍ଷରୁ ଅଧିନାୟକ  ଜାସନ  ହୋଲଡର ସର୍ବାଧିକ ୫୪ ରନର ଅପରାଜିତ ପାଳି ଖେଳିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଖଲିଲ ଅହମ୍ମଦ  ଓ କୁଲଦୀପ ଯାଦବ ୩ ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତଙ୍କ ୧୬୨ ଓ ରାୟୁଡୁଙ୍କ ୧୦୦ ଜରିଆରେ ୫ ଓ୍ଵିକେଟ୍ ବିନିମୟରେ ୩୭୭ ରନ କରିଥିଲା। ସିରିଜର ଅନ୍ତିମ ମ୍ୟାଚ୍ ନଭେମ୍ବର ୨ରେ ତିରୁଅନନ୍ତପୁରମରେ ଖେଳାଯିବ।

ବିଶାଳ ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜକୁ ଆରମ୍ଭରୁ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦଳ ୨୦ ରନ ଭିତରେ ଦୁଇ ଓପନର ସହିତ ତିନୋଟି ଓ୍ଵିକେଟ୍ ହରାଇଥିଲା। ଏଥିରୁ ଦୁଇଟି ଓ୍ଵିକେଟ୍ ରନ ଆଉଟ୍ ଇଣ୍ଡିଜ ପାଇଁ ମହଙ୍ଗା ପଡ଼ିଥିଲା। ଓପନର ଚନ୍ଦ୍ରପଲ(୧୪)ଙ୍କୁ ଭୁବନେଶ୍ଵର ପାଭିଲିୟନ ପଠାଇ ଥିବା ବେଳେ ଦ୍ଵିତୀୟ ଓ୍ଵିକେଟ୍ ଭାବେ  ସାଇ ହୋପ ଖାତା ଖୋଲିବା ପୂର୍ବରୁ କୁଲଦୀପଙ୍କ ଦ୍ଵାରା ରନ ଆଉଟ୍ ହୋଇଥିଲେ। ଏହି ପରି କିରନ ପାଓ୍ଵେଲ(୪) କୋହଲିଙ୍କ ହାତରେ ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

ଏହା ପରେ ଦଳ ଭାରତୀୟ ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂର ମୁକାବିଲା କରିନପାରି କ୍ରମାଗତ ଓ୍ଵିକେଟ୍ ହରାଇ ଚାଲିଥିଲା ଇଣ୍ଡିଜ। ଅଧିନାୟକ ଜାସନ ହୋଲଡରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ବିଶେଷ କରି ନବାଗତ ବୋଲର ଖଲିଲ ଅହମ୍ମଦ ମାର୍ଲନ ସାମୁଏଲ୍ସ(୧୮), ଫର୍ମରେ ଥିବା  ସିମରନ ହେଟମାୟର(୧୩)ଓ  ରଭମାନ ପାଓ୍ଵେଲ(୧)ଙ୍କୁ ଆଉଟ୍ କରି ଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଏହା ପରେ କୁଲଦୀପ ଯାଦବ ଫାବିଅନ ଆଲେନ(୧୦) ଆସ୍ଲେ ନର୍ସ(୮) ଓ କେମାର ରୋଚ(୬) ଙ୍କୁ ପାଭିଲିୟନ ପଠାଇ ଭାରତକୁ ବିଜୟୀ କରାଇଥିଲ। ଜାଡେଜା ଓ ଭୁବନେଶ୍ଵର କୁମାର  ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ଦଳର ବିଜୟରେ ଔପଚାରିକତା ପୂରଣ କରିଥିଲେ।

ଭାରତ ପକ୍ଷରୁ ଖଲିଲ ଅହମ୍ମଦ 5 ଓଭରରେ 13 ରନ ଦେଇ 3ଟି ଓ୍ଵିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ 42 ରନ ଦେଇ 3ଟି ସଫଳତା ପାଇଛନ୍ତି।

ଭାରତୀୟ ଇନିଂସ

ଟସ୍ ଜିତି ବ୍ୟାଟିଂ କରିବାକୁ ଅଧିନାୟକ ବିରାଟ କୋହଲି ନେଇଥିବା ନିଷ୍ପତ୍ତିକୁ ବ୍ୟାଟସମ୍ୟାନ  ସଠିକ୍ ସାବ୍ୟସ୍ତ କରିଥିଲେ। ଗତ ତିନୋଟି ମ୍ୟାଚରେ ଦଳକୁ ନିରାଶ କରିଥିବା ଓପନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଆଜି ଦମଦାର ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୭୧ ରନ ଯୋଡ଼ିଥିଲେ। ଏହି ସ୍କୋରେ ଧାଓ୍ଵନ ୪୦ମ ବଲରୁ ୪ ଚୌକା ଓ ୨ ଛକା ଜରିଆରେ ୩୮ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ କ୍ରମାଗତ ୩ଟି ମ୍ୟାଚରେ ଶତକ ଅର୍ଜନ କରି ରେକର୍ଡ ପରେ ରେକର୍ଡ କରିଥିବା ଅଧିନାୟକ କୋହଲି ଆଜି କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୬ ରନ କରି ରୋଚଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ କ୍ରିଜକୁ ଆସିଥିବା ଅମ୍ବତି ରାୟୁଡୁ ଓ ରୋହିତ ଶର୍ମା ଦଳର ମଙ୍ଗ ସମ୍ଭାଳିଥିଲେ

ଏହି ଦୁଇ ବ୍ୟାଟସମ୍ୟାନ କ୍ରିଜରେ ଜମି ରହି ଇଣ୍ଡିଜ  ବୋଲରଙ୍କ ଉପରେ ପ୍ରବଳ ପ୍ରହାର କରିଥିଲେ। ଏହି କ୍ରମରେ ରୋହିତ ଶର୍ମା ନିଜର ଦିନିକିଆ କ୍ରିକେଟରେ ୨୧ ତମ ଶତକ ପୂରଣ କରିଥିଲେ। ରୋହିତ ଓ ରାୟୁଡୁ ତୃତୀୟ ଓ୍ଵିକେଟରେ ୧୬୬ ବଲରୁ ୨୧୧ ରନ ଯୋଡି ଦଳର ସ୍କୋରକୁ ୩୦୦ ପାର କରିବା ସହିତ ଦଳ ପାଇଁ ବିଶାଳ ସ୍କୋର ମୂଳ ଦୁଆ ପକାଇଥିଲେ। ଶତକ ପୂରଣ କରିବା ପରେ ରୋହିତ ଯେମିତି  ବ୍ୟାଟିଂ କରୁଥିଲେ ଲାଗୁଥିଲା ସେ ଦିନିକିଆ କ୍ରିକେଟରେ ନିଜର ଚତୁରଥ ଦ୍ଵିଶତକ ପୂରଣ କରିବେ। ମାତ୍ର ୩୧୨ ସ୍କୋରରେ ଦଳକୁ ରୋହିତ ଶର୍ମାଙ୍କ ରୂପେ ତୃତୀୟ  ଝଟକା ଲାଗିଥିଲା।

ରୋହିତ ୧୩୭ଟି ବଲରୁ ୨୦ ଚୌକା ଓ ୪ ଛକା ଜରିଆରେ ୧୬୨ ରନ କରି ପାଭିଲିୟନ ଫେରିଥିଲେ। ଦିନିକିଆରେ ଏହା ଥିଲା ତାଙ୍କର ୨୧ ତମ ଶତକ। ଅନ୍ୟ ପଟେ ଅମ୍ବତି ରାୟୁଡୁ ନିଜର ଦିନିକିଆ କ୍ୟାରିୟରର ତୃତୀୟ  ଶତକ ପୂରଣ କରିଥିଲ। ସେ ୮୦ ବଲରୁ ୮ ଚୌକା ଓ ୪ ଛକା ଜରିଆରେ ଏହି  ଶତକ ହାସଲ କରିଥିଲେ। ମାତ୍ର ୩୪୪ ସ୍କୋରରେ ରାୟୁଡ଼ୁ  ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ରାୟୁଡୁ ୮୧ ବଲରୁ ୧୦୦ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ଧୋନୀ ୧୪ ବଲରୁ ୨୩ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ କେଦାର ଯାଧବ ୧୬ ଓ ରବୀନ୍ଦ୍ର ଜାଡ଼େଜା ୭ ରନ କରି ଅପରାଜିତ ଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୭୭ ରନର ବିଶାଳ ସ୍କୋର କରିଥିଲା।

ଇଣ୍ଡିଜ ପକ୍ଷରୁ କେମାର ରୋଚ୍ ୨, ଆସ୍ଲେ ନର୍ସ ଓ କିମେ ପଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

By amfnews

Related Post