Sun. Nov 24th, 2024

ରାହୁଲଙ୍କ ଭେଟିଲେ ସିଦ୍ଧୁ, ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ!

By amfnews Jun 10, 2019 #Featured
106 Views

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ପଞ୍ଜାବ ସରକାରର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ। ତିନି ଦିନିଆ କେରଳ ଗସ୍ତ ଶେଷ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀ ଫେରିବା ପରେ ଆଜି ସିଦ୍ଧୁ ତାଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ବେଳେ ସେ ମଧ୍ୟ ଏକ ଚିଠି ରାହୁଲଙ୍କୁ ଦେଇଛନ୍ତି। ଯେଉଁଥିରେ ସେ ତାଙ୍କର ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ସହ ଲାଗି ରହିଥିବା ବିବାଦ ବାବଦରେ ଲେଖିଥିବା ସୂଚନା ରହିଛି। ଅନ୍ୟପଟେ ମନ୍ତ୍ରିମଣ୍ଡଳରୁ ସିଦ୍ଧୁ ଇସ୍ତଫା ଦେବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସିଦ୍ଧୁ ନିଜେ ଟ୍ୱିଟ୍ କରି ରାହୁଲଙ୍କ ସହ ସାକ୍ଷାତର ଏକ ଫଟୋ ପୋଷ୍ଟ କରିଛନ୍ତି। ତାଙ୍କ ସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଓ ଗାନ୍ଧି ପରିବାରର ନିକଟତମ ବ୍ୟକ୍ତି ତଥା ସାଂସଦ ଅହମଦ ପଟେଲ ଉପସ୍ଥିତ ଅଛନ୍ତି।

ଗତ ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ନିଜ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥିଲେ। ଏହି ଅଦଳବଦଳ ବେଳେ ସିଦ୍ଧୁଙ୍କ ପାଖରେ ଥିବା ନଗର ଉନ୍ନୟନ ଓ ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଛଡ଼ାଇ ନେଇ ସିଦ୍ଧୁଙ୍କୁ କେବଳ ଶକ୍ତି ବିଭାଗର ଦାୟିତ୍ୱ ଦେଇଥିଲେ। ଏହାପରେ ସିଦ୍ଧୁ ନୂଆ ଦାୟିତ୍ୱ ଗ୍ରହଣ କରି ନାହାନ୍ତି। ଏମିତିକି ଗତକାଲି ସରକାରୀ ଯୋଜନା ଗୁଡ଼ିକର ସମୀକ୍ଷା କରିବା ପାଇଁ ଅମରିନ୍ଦର ଯେଉଁ ୮ଟି ପରାମର୍ଶଦାତା କମିଟି ଗଠନ କରିଥିଲେ ସେଥିରେ ସିଦ୍ଧୁ ଓ ଅନ୍ୟ ଜଣେ ମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ ।

ସାଧାରଣ ନିର୍ବାଚନରେ ପଞ୍ଜାବର ୫ ଲୋକସଭା ଆସନ କଂଗ୍ରେସ ହାରିବାର କାରଣ ସମ୍ପର୍କରେ ଆଲୋଚନା କଲା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଖୋଲାଖୋଲି ଭାବେ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ସିଦ୍ଧୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ଏହି ବିଭାଗ ସହରାଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ ବୁଝିବା କଥା। ହେଲେ ସିଦ୍ଧୁ ଠିକ୍‌ ଭାବେ ନିଜର କାର୍ଯ୍ୟ ନ କରିବାରୁ ଏହା କଂଗ୍ରେସକୁ ମହଙ୍ଗା ପଡ଼ିଥିବା ଅମରିନ୍ଦର କହିଥିଲେ।

ଏହାପୂର୍ବରୁ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ ଇଚ୍ଛା ମୁତାବକ ଲୋକସଭା ଆସନ ପାଇଁ ଟିକେଟ ନ ମିଳିବାରୁ ସିଦ୍ଧୁ ଦମ୍ପତି ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଦାୟୀ କରିଥିଲେ।

By amfnews

Related Post