Tue. Nov 5th, 2024

ରାଗିଂ ଜଗିବ ଆଣ୍ଟି-ରାଗିଂ ସ୍କ୍ବାଡ୍‌ : ବିଶ୍ବବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଲା ୟୁଜିସି

By amfnews Aug 5, 2019 #Featured
94 Views

ଭୁବନେଶ୍ବର : ଶିକ୍ଷାନୁଷ୍ଠାନରେ ବଢ଼ିଚାଲିଛି ରୢାଗିଂ। ସିନିୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରୢାଗିଂର ଶିକାର ହେଉଛନ୍ତି ଜୁନିଅର। ୨୦୧୩ରୁ ୨୦୧୭ ମଧ୍ୟରେ ଦେଶରେ ୩୦୨୨ଟି ରୢାଗିଂ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିକଟରେ ଅଭିଯୋଗ ହୋଇଥିଲା। ୨୦୧୮ରେ ୫୦୦ରୁ ଅଧିକ ରୢାଗିଂ ‌ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ୟୁଜିସି। ତେଣୁ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ରୢାଗିଂ ମୁକ୍ତ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ବିଶ୍ବବିଦ୍ୟାଳୟଗୁଡ଼ିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ କ୍ୟାମ୍ପସରେ ବ୍ୟାପକ ସଚେତନତା କରିବା, ହଷ୍ଟେଲ ଉପରେ ଚଢ଼ଉ, ଆଣ୍ଟି-ରୢାଗିଂ ସ୍କ୍ବାଡ୍‌ ଗଠନ ଆଦି ଉପରେ ଗୁରୁତ୍ବ ଦିଆଯାଇଛି। କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଇବାକୁ ନିର୍ଦେଶ ‌ଦିଆଯାଇଛି।

ପ୍ରତିବର୍ଷ ଅଭିଯୋଗ ବଢ଼ୁଥିବାରୁ ୟୁଜିସି ପକ୍ଷରୁ ଏଥର ଶିକ୍ଷାବର୍ଷ ଆରମ୍ଭରୁ ଆଣ୍ଟି-ରୢାଗିଂ ସ୍କ୍ବାଡ୍‌ ଗଠନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ସମସ୍ତ ବିଶ୍ବବିଦ୍ୟାଳୟରେ ଆଣ୍ଟି-ରୢାଗିଂ କମିଟି ଓ ସ୍କ୍ବାଡ୍‌ ଗଠନ, ଆଣ୍ଟି-ରୢାଗିଂ ସେଲ୍‌ ପ୍ରତିଷ୍ଠା, ବିଶ୍ବବିଦ୍ୟାଳୟ ବ୍ରୋଚରରେ ଆଣ୍ଟି-ରୢାଗିଂ ସମ୍ପର୍କରେ ଉଲ୍ଲେଖ କରିବା, ୱେବସାଇଟ୍‌ରେ ଆଣ୍ଟି-ରୢାଗିଂ କମିଟିର ନୋଡାଲ୍‌ ଅଫିସରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍‌ ନମ୍ବର, ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀ ଅଣ୍ଟରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି। ଆଣ୍ଟି-ରୢାଗିଂ ସ୍କ୍ବାଡ୍‌ର ସଦସ୍ୟମାନେ ହଷ୍ଟେଲ, କ୍ୟାଣ୍ଟିନ୍‌, ରେଷ୍ଟ ରୁମ୍‌, ଶୌଚାଳୟ, ବସ୍‌ଷ୍ଟାଣ୍ଡ ଆଦି ଉପରେ ଅଚାନକ ଚଢ଼ଉ କରିବାକୁ କୁହାଯାଇଛି। ଆଣ୍ଟି-ରୢାଗିଂ ନେଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କର୍ମଶାଳା, ଆଲୋଚନାଚକ୍ର କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ୟୁଜିସି ପକ୍ଷରୁ ଆଣ୍ଟି-ରୢାଗିଂ ହେଲ୍‌ପ ଲାଇନ୍‌ ନମ୍ବର(୧୮୦୦-୧୮୦-୫୫୨୨) ଜାରି କରାଯାଇଛି। ଇ-ମେଲ୍‌ ‘helpline@antiragging.in’ରେ ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। କ୍ୟାମ୍ପସକୁ ରୢାଗିଂ ମୁକ୍ତ କରିବା ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ୟୁଜିସିର ସଚିବ ପ୍ରଫେସର ରଜନୀଶ ଜୈନ କହିଛନ୍ତି।

ୟୁଜିସିର ତଥ୍ୟ ଅନୁଯାୟୀ ୨୦୧୩ରେ ସାରା ଦେଶରୁ ୬୪୦ଟି ଅଭିଯୋଗ ଆସିଥିଲା। ୨୦୧୭ରେ ଅଭିଯୋଗ ସଂଖ୍ୟା ୯୦୧ରେ ପହଞ୍ଚିଥିଲା। ୨୦୧୫ରେ ଅଭିଯୋଗ ସ˚ଖ୍ୟା ୪୨୩ ଥିବା ବେଳେ ୨୦୧୬ରେ ୫୧୫ଟି ଅଭିଯୋଗ ହୋଇଥିଲା। ୨୦୧୭ ତୁଳନାରେ ୨୦୧୮ରେ ରୢାଗିଂ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ହେଲେ ଆଶାନୁରୂପକ ସଫଳତା ମିଳିପାରିନି। ରୢାଗି˚ରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଏହା ତଳକୁ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ତାମିଲନାଡ଼ୁ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକରେ ଗତ ୬ ବର୍ଷ ମଧ୍ୟରେ ଶତାଧିକ ରୢାଗିଂ ଅଭିଯୋଗ ଆସିଛି। ୨୦୧୭ ସୁଦ୍ଧା ନାଗାଲାଣ୍ତ ସମେତ ଡାମନ୍‌ ଡିଉ, ଦାଦ୍ରା ନଗର ହାବେଳି, ଲାକ୍ଷାଦୀପ, ଆଣ୍ତାମାନ ନିକୋବରରୁ କୌଣସି ରୢାଗିଂ ଅଭିଯୋଗ ଆସି ନାହିଁ। ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ‌ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ରୢାଗିଂର ଶିକାର ହେଉଛନ୍ତି।

ଚିନ୍ତାର ବିଷୟ ହେଉଛି ଯେ, ୨୦୧୩ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୨୦୭ଟି ଅଭିଯୋଗ ହୋଇଛି। ୨୦୧୮ରେ ଅଭିଯୋଗ ସଂଖ୍ୟା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ୩୦ରୁ ଅଧିକ ଥିବା ନେଇ ୟୁଜିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେଥିମଧ୍ୟରୁ ଅଧିକା˚ଶ ଅଭିଯୋଗ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଅଧୀନ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଆସିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ବି ଅନେକ ରୢାଗିଂ ହୋଇଥିବା ଜଣାପଡ଼ିଛି। ବିଶେଷକରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ରୢାଗିଂର ଶିକାର ହେଉଛନ୍ତି।

By amfnews

Related Post